ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଶିଷ୍ଟ ଗାନ୍ଧୀବାଦୀ, ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କର ସୋମବାର ରାତି ୧୧ଟା ୧୫ମିନିଟରେ ପରଲୋକ ହୋଇଯାଇଛି ।  ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ କିଛି ମାସ ଧରି ଶଯ୍ୟାଶାୟୀ ଥିଲେ । କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରେତଙ୍ଗ ନିକଟ ବ୍ରହ୍ମକୁଣ୍ଡଳ ଗାଁରେ । ଦେଶ ସ୍ବାଧୀନତା ପାଇବା ପୂର୍ବରୁ ସେ  ଇଂରେଜମାନଙ୍କୁ ବିରୋଧ କରି  ବିଦେଶୀ ଦ୍ରବ୍ୟ ବର୍ଜନ କରିଥିଲେ ।

ରେତଙ୍ଗ ଷ୍ଟେସନ ଅଞ୍ଚଳରେ ତାଙ୍କର ବ୍ରିଟିଶ ବିରୋଧୀ କାର୍ଯ୍ୟକଳାପ ଏକଦା ଫିରିଙ୍ଗି ପୋଲିସକୁ ହଡବଡେଇ ଦେଇଥିଲା  ।  ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଉତ୍ସବରେ ଯୋଗଦେଇ ଦେଶବନ୍ଦନା କରିଥିଲେ । ଡେଲାଙ୍ଗ ଗାନ୍ଧୀସଭାରେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ।

ଏହା ବ୍ୟତୀତ ଯାତ୍ରା, ପାଲା ଓ ସଞ୍ଚାର କଳାରେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖୁବ୍ ଲୋକପ୍ରିୟତା ଥିଲା । ୫ ବର୍ଷ ଧରି ଯାତ୍ରାଦଳରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏକଦା ତାଙ୍କର ଗାୟନଶୈଳୀରେ ଖୁସି ହୋଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ତାଙ୍କୁ ଏକ ରୌପ୍ୟମୁଦ୍ରାରେ ପୁରସ୍କୃତ କରିଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓ ରାଜନେତା ଦୀନବନ୍ଧୁ ବୈରିଶଲଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା ।

Leave a Reply

Your email address will not be published. Required fields are marked *