ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ୮୪ ବର୍ଷ ବୟସରେ ଦେହାନ୍ତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଅନେକ ସମୟ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କର ସୋମବାର ଦିନ ଦେହାନ୍ତ ହୋଇଛି । ଏସମ୍ପର୍କରେ ତାଙ୍କ ପୁଅ ଅଭିଜିତ ମୁଖାର୍ଜି ସୂଚନା ଦେଇଛନ୍ତି ।
ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଏବଂ ଫୁସଫୁସରେ ସଂକ୍ରମଣ ଯୋଗୁଁ ସେପ୍ଟିକ୍ ଶକ୍ ହୋଇଥିବା ନେଇ ଦିଲ୍ଲୀ କେଣ୍ଟ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା ।
୮୪ ବର୍ଷୀୟ ଶ୍ରୀ ମୁଖାର୍ଜି କ୍ରମାଗତ ଭାବେ କୋମାରେ ରହିବାରୁ ତାଙ୍କୁୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ସୂଚନାଥାଉ କି, ଗତ ଅଗଷ୍ଟ ୧୦ ତାରିଖରେ ବ୍ରେନ୍ ସର୍ଜରୀ ପାଇଁ ଶ୍ରୀ ମୁଖାର୍ଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ବ୍ରେନ୍ ସର୍ଜରୀ ପରେ ୮୪ ବର୍ଷୀୟ ପ୍ରଣବ ମୁଖାର୍ଜିଙ୍କର କରୋନା ଟେଷ୍ଟ ପଜିଟିଭ ବାହାରିଥିଲା ।
ପ୍ରଣବ ମୁଖାର୍ଜି ଭାରତର ୧୩ ତମ ରାଷ୍ଟ୍ରପତି ଭାବେ ୨୦୧୨ ମସିହାରୁ ୨୦୧୭ ମସିହା ମଧ୍ୟରେ ଦାୟିତ୍ୱ ନିର୍ବାହ କରିଥିଲେ ।
ପ୍ରଣବ ମୁଖାର୍ଜିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଜଣାଶୁଣା ରାଜନୀତିଜ୍ଞ । ଏହି ଅବସରରେ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଭାରତ ରତ୍ନ ପ୍ରଣବ ମୁଖାର୍ଜିଙ୍କ ଦେହାନ୍ତରେ ଆଜି ପୂରା ଦେଶ ଦୁଃଖି ଅଛି । ସେ ରାଷ୍ଟ୍ରର ବିକାଶରେ ଏକ ଛାପ ଛାଡି ଯାଇଛନ୍ତି । ସେ ରାଜନୀତି ସମେତ ସମାଜର ସବୁ ବର୍ଗଙ୍କ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି ।
୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମିରେ ଜନ୍ମ ଗ୍ରହଣ କରିଥିଲେ ପ୍ରଣବ ମୁଖାର୍ଜି । ସେ ୧୯୬୯ ମସିହାରେ ରାଜ୍ୟସଭାକୁ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏପରିକି ୧୯୭୩ ମସିହାରେ ସେ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ।
ସେ କଂଗ୍ରେସ ଦଳର ସବୁଠୁ ବଡ ରାଜନୈତିକ ଚେହେରା ହୋଇପାରିଥିଲେ । ତାଙ୍କର ରାଜନୈତିକ ଯାତ୍ରା ବେଶ ସଫଳପୂର୍ଣ୍ଣ ହୋଇଥିବା ବେଳେ ତାଙ୍କ ୨୦୧୯ ମସିହାରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।