କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନରେ ତ୍ରିପୁରା ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନାର କାୟା ଦିନକୁ ଦିନ ବଢୁଥିବା ବେଳେ ଏହାର କବଳରୁ ସାଧାରଣ ବ୍ୟକ୍ତିଙ୍କ ସମେତ ନେତା ମନ୍ତ୍ରୀ ମଧ୍ୟ ବାଦ୍ ପଡୁ ନାହାଁନ୍ତି ।
କିଛି ଦିନ ତଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ ତାଙ୍କ ଝିଅ କରୋନାରେ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କରୋନା ସଂକ୍ରମିତ ହେବା ପରେ ସିଦ୍ଦରମୈୟା ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଏଥିସହିତ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜକୁ କ୍ୱାରେଣ୍ଟାଇନ୍ କରିବା ସହ କୋଭିଡ ଟେଷ୍ଟ କରାନ୍ତୁ ବୋଲି ନିବେଦନ କରିଛନ୍ତି ସେ ।
ଅପରପକ୍ଷରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଦୁଇ ପରିବାର ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେଟ୍ କରିବା ସହ କୋଭିଡ ପରୀକ୍ଷା କରାଇଛନ୍ତି । ତେବେ ତାଙ୍କର ଟେଷ୍ଟ ରିପୋର୍ଟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେ ଏନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ ୟେଦୁରପ୍ପା । ଏପରିକି “ମୁଁ କରୋନା ଭାଇରସରେ ସଂକ୍ରମିତ ହୋଇ ପଡିଛି । ଏବେ ମୁଁ ଠିକ୍ ଅଛି, ହେଲେ ଡାକ୍ତରଙ୍କ ପରାମର୍ଶରେ ମେଡିକାଲରେ ଭର୍ତ୍ତି ହେଉଛି । ନିକଟ ଅତୀତରେ ମୋ ସମ୍ପର୍କରେ ଆସିଥିବା ବ୍ୟକ୍ତି ମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜେ ନିଜେ ସେଲ୍ଫ କ୍ୱାରେଣ୍ଟାଇନରେ ଯାଆନ୍ତୁ” ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଥିଲେ ସେ ।
ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ଭଳି ବଡ ବଡ ଅଭିନେତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।