ମେ’୨୫ ରୁ ଝାରସୁଗୁଡା ବିମାନ ବନ୍ଦରରୁ ଉଡିବ ବିମାନ

ଭୁବନେଶ୍ୱର, (ଓଡିଶା ଟାଇମ୍): କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ପର୍ୟ୍ୟନ୍ତ ବନ୍ଦ ରହିଥିବା ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇଜେଟ ଓ ଏଲାଇନ୍ସ ଏୟାର ବିମାନ ସେବା ଆରମ୍ଭ କରିବେ । ଏଥିପାଇଁ ଉଭୟ ବିମାନ କମ୍ପାନୀ ପକ୍ଷରୁ ମେ’ ୨୫ ତାରିଖରୁ ଜୁନ ୩୦ ତାରିଖ ପର୍ୟ୍ୟନ୍ତ ବିମାନ ଉଡାଣର ସମୟ ତାଲିକା ପ୍ରସ୍ତୁତ କରାଯାଇଛି । ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଯାତ୍ରା ନେଇ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି । ଏଠାରୁ ବିମାନ ଉଡାଣ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଏସ୍‌ପି, ବିମାନବନ୍ଦରର ନିର୍ଦ୍ଦେଶକ, ଜିଲ୍ଲା ଚିକିତ୍ସାଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା । ବିମାନ ଯାତ୍ରା ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି ଜାରି କରିଥିବା ଏସଓପି ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ମାନୁ ନ ଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ପ୍ରବେଶ ଅନୁମତି ମିଳିବ ନାହିଁ । ଆସନ୍ତା ମେ’ ୨୫ରୁ ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ପକ୍ଷରୁ ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଏବଂ ଏଲାଇନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚାଲିବ। ସ୍ପାଇସ ଜେଟର ବିମାନ ପ୍ରତିଦିନ ହାଇଦ୍ରାବାଦରୁ ସକାଳ ୧୦ଟା ୩୫ରୁ ବାହାରି ୧୨ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ ଓ ଝାରସୁଗୁଡ଼ାରୁ ଅପରାହ୍ଣ ୪ଟା ୧୦ରେ ଉଡାଣ ଭରି ସଂଧ୍ୟା ୬ଟା ୫ରେ ହାଇଦ୍ରାବାଦ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ପ୍ରତିଦିନି ଅପରାହ୍ଣ ୧୨ଟା ୪୫ରେ ଉଡ଼ାଣ ଭରି ଅପରାହ୍ଣ ୨ଟା ୫ରେ କଲିକତାରେ ପହଞ୍ଚିବ । ଅପରାହ୍ଣ ୨ଟାରେ କୋଲକତାରୁ ବିମାନ ବାହାରି ୩ଟା ୩୫ରେ ଝାରସୁଗୁଡ଼ା ପହଞ୍ଚିବ ।

Leave a Reply

Your email address will not be published.