ଭାରତ ଆସୁଛି ଲଢୁଆ ରାଫେଲ୍ ଜେଟ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତୀୟ ସେନା ବାହିନୀରେ ସାମିଲ ହେବାକୁ ଯାଉଛି ଲଢୁଆ ରାଫେଲ୍ ବିମାନ । ସୋମବାର ଦିନ ୫ଟି ରାଫେଲ୍ ବିମାନ ଫ୍ରାନ୍ସ ଏୟାରବେସରୁ ଭାରତ ଅଭିମୁଖେ ଉଡାଣ ଭରିଛି ।

ସୂଚନାନୁଯାୟୀ, ଏହି ସବୁ ବିମାନକୁ ଭାରତୀୟ ବାୟୁସେନାର ପାଇଲଟ୍ ମାନେ ଉଡାଉଛନ୍ତି । ଏହା ରିଫ୍ୟୁଲିଂ ପାଇଁ ସଂଯୁକ୍ତ ଅରବ ଅମିରତର ଅଲ୍ ଧାଫରା ଏୟାରବେସରେ ରହିବ । ଏହି ୫ଟି ରାଫେଲ୍ ବିମାନ ପ୍ରାୟ ୭୩୬୪ କିମି. ଦୂର ଉଡି ଜୁଲାଇ ୨୯ ତାରିଖ ତଥା ବୁଧବାର ଦିନ ହରିୟାଣାର ଅମ୍ବାଲା ଏୟାର ବେସରେ ପହଞ୍ଚିବ ।

ବିମାନ ପହଞ୍ଚିବା ପରେ ଭାରତ ଓ ଚୀନ ମଧ୍ୟରେ ଜାରି ସୀମା ବିବାଦକୁ ନଜରରେ ରଖି ଏହାକୁ ମୁତୟନ କରାଯିବ । ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ୩୬ ବିମାନ ବୁଝାମଣାର ପ୍ରଥମ ପର୍ଯ୍ୟାୟ ଭାବେ ଏହି ୫ଟି ରାଫେଲ୍ ଆସୁଛି ।

ଫ୍ରାନ୍ସର ରାଫେଲ୍ ଜେଟକୁ ନେଇ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି ଭାରତୀୟ ପାଇଲଟ୍ । ଏପରିକି ଅଧିକାଂଶ ପାଇଲଟଙ୍କୁ ଫ୍ରାନ୍ସରେ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଆଉ କିଛି ଭାରତରେ ପ୍ରଶିକ୍ଷିତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫ୍ରାନ୍ସରୁ ଉଡାଣ ଭରିବା ପରେ ଏହି ୫ ଲଢୁଆ ବିମାନ ୟୁଏଇ ସ୍ଥିତ ଫ୍ରାନ୍ସ ଏୟାରବେସରେ ପ୍ରଥମ ଷ୍ଟପ୍ ନେବେ । ପରବର୍ତ୍ତୀ ସମୟରେ ଗ୍ରୀସ୍ କିମ୍ବା ଇଜ୍ରାଇଲ୍ ସମୁଦ୍ର ଉପରେ ଫ୍ରାନ୍ସ ଏୟାରଫୋର୍ସ ଟ୍ୟାଙ୍କର ଏୟାରକ୍ରାଫ୍ଟ ଦ୍ୱାରା ପବନରେ ହିଁ ବିମାନରେ ଫୁଏଲ୍ ଭରା ଯିବ ।

ଯାହା ପରେ ପରେ ଜୁଲାଇ ୨୯ ତାରିଖ ସକାଳ ବେଳକୁ ଏହା ଅମ୍ବାଲା ଏୟାର ବେସରେ ପହଞ୍ଚିବ ।

ସୂଚନାନୁଯାୟୀ ଏହି ରାଫେଲ୍ ବିମାନ ଭାରତୀୟ ସେନା ବାହିନୀରେ ସାମିଲ ହେବା ପରେ ଏହା ସେନା ବାହିନୀର ଶକ୍ତିକୁ ଦ୍ୱିଗୁଣିତ କରିବା ସହ ଅଧିକ ଶକ୍ତିଶାଳୀ ମଧ୍ୟ କରିବ ।

 

Leave a Reply

Your email address will not be published. Required fields are marked *