ରଥଯାତ୍ରା ବିବାଦ ଏବେବି ଅଦାଲତରେ, ସୁପ୍ରିମକୋର୍ଟରେ ୫ ମାମଲା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ପରେ ଏହି ଆଦେଶର ପୁନର୍ବିଚାର ତଥା ସଂଶୋଧନ ପାଇଁ ଶୁକ୍ରାବର ପାଞ୍ଚଟି ପିଟିସନ୍‌ ରୁଜୁ ହୋଇଛି ।

ପ୍ରଥମ ପିଟିସନ୍‌ଟି ମୁସଲମାନ ସମ୍ପ୍ରଦାୟର ଯୁବକ ଅଫ୍‌ତାବ୍‌ ହୁସେନ୍‌, ଦ୍ୱିତୀୟଟି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ, ତୃତୀୟ ଶ୍ରୀମନ୍ଦିର ଛତିଶା ନିଯୋଗ ମୁଖ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଚତୁର୍ଥ ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର ଓ ପଞ୍ଚମ ପିଟିସନଟି ରାଷ୍ଟ୍ରୀୟ ହିନ୍ଦୁ ମହାସଭା ପକ୍ଷରୁ ରୁଜୁ କରାଯାଇଛି । ସାଧାରଣ ଲୋକଙ୍କୁ ରଥଟଣା ପାଇଁ ଅନୁମତି ନଦେଇ ନିର୍ଦ୍ଦିଷ୍ଟ କିଛି ସେବାୟତଙ୍କୁ ନେଇ ବିନା ଭକ୍ତରେ ଏଥର ରଥଯାତ୍ରା କରିବା ଲାଗି ଅନୁମତି ଦେବାକୁ ପିଟିସନ ଦୁଇଟିରେ ପ୍ରାର୍ଥନା କରାଯାଇଛି ।

ପିଟିସନ୍‌ଗୁଡ଼ିକରେ ଦର୍ଶାଯାଇଛି ଯେ, କେଉଁ ଆବହମାନ କାଳରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହା ପ୍ରତ୍ୟେକ ଓଡ଼ିଆ ତଥା ହିନ୍ଦୁଙ୍କ ଭାବାବେଗ ସହ ଜଡିତ । କେବଳ ହିନ୍ଦୁ ନୁହଁ, ଅନ୍ୟ ଧର୍ମାବଲମ୍ବୀ ଲୋକେ ମଧ୍ୟ ରଥଯାତ୍ରା ସମୟରେ ପୁରୀ ଆସିଥାନ୍ତି । ତେଣୁ ରଥଯାତ୍ରା କରାଇବାକୁ ଅନୁମତି ଦେବା ନେଇ ଅଦାଲତ ବିଚାର କରନ୍ତୁ । ଏହାଛଡ଼ା ପୁରୀ ଏବେ ବି ଗ୍ରୀନ୍‌ ଜୋନ୍‌ରେ ରହିଛି । ସ୍ନାନଯାତ୍ରାରେ ନିୟୋଜିତ ହୋଇଥିବା ୮୦୦ ସେବାୟତ, ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୩୭୨ ଜଣ କାରିଗର, ୨୦୦ ପାଳିଆ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ୧୩୨ ଜଣ ପୁଲିସ୍‌ ଅଧିକାରୀ,ଏମିତି ମୋଟରେ ମିଶାଇ ୧୩୦୪ ଜଣଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା । ଏ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି ।

ଯଦି ରଥଟଣା କଥା ବିଚାର କରାଯାଏ ତାହେଲେ ପ୍ରତ୍ୟେକ ରଥରେ ୬ଟି ଦଉଡ଼ି ରହିଛି । ଯଦି ପ୍ରତି ଦଉଡି ଟାଣିବାକୁ ୩୦ରୁ ୪୦ ଜଣ ଲୋକ ନିୟୋଜିତ ହୁଅନ୍ତି ତାହେଲେ ଗୋଟିଏ ଗୋଟିଏ ରଥ ଟାଣିବା ପାଇଁ ୨୦୦ ବ୍ୟକ୍ତିଙ୍କ ଆବଶ୍ୟକତା ପଡ଼ିବ । ତିନୋଟି ରଥ ପାଇଁ ସର୍ବାଧିକ ୫୦୦ରୁ ୬୦୦ ଲୋକଙ୍କ ଆବଶ୍ୟକତା ରହିଛି । ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆସିବ । ଏହାର ଦୂରତ୍ୱ ୩ କି.ମି. । ଏହି ତିନି କି.ମି. ବାଟକୁ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଅତି ସହଜରେ ରଥ ଟଣା ଯାଇପାରିବ । ତେଣୁ ବାହାର ଲୋକଙ୍କୁ ଅନୁମତି ଦିଆନଯାଇ ରଥଟଣା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦୁହେଁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published.