ବାଲିଯାତ୍ରା ଭଳି ଓଡ଼ିଶାର ଆଉ ୫ ବଡ଼ ମେଳା, ଯେଉଁସବୁ ପାଇଁ ଲୋକଙ୍କ ଭିଡ଼ ଜମେ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଛି ବାଲିଯାତ୍ରା । ଆମର ଗୌରବମୟ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇବା ଲାଗି ଏହା ଏକ ସୁେଯୋଗ ଭାବେ ଆମ ପଢ଼ି ତଥା ଆମ ପର ପିଢ଼ି ଆଗର ଠିଆ ହୋଇଛି । ଏହି ବାଲିଯାତ୍ରାଗୁଡ଼ିକ ଭିତରୁ କଟକର ମହାନଦୀ ପଠାରେ ହେଉଥିବା ବାଲିଯାତ୍ରା ସମସ୍ତଙ୍କ ପାଇଁ ଆଗ୍ରହ ସୃଷ୍ଟି କରିଥାଏ । ଏଣୁ ଏଠାରେ ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତଶିଳ୍ପ, ହସ୍ତତନ୍ତ କାରିଗରମାନେ ସେମାନଙ୍କ ଉତ୍ପାଦ ବିକ୍ରି କରିଥାଆନ୍ତି । ରଙ୍ଗ ବେରଙ୍ଗ ଆଲୁଅ ସହ ସୁସ୍ୱାଦୁ ଖାଦ୍ୟ ପୁଣି ପ୍ରସିଦ୍ଧ ଦହିବରା ଓ ଠୁଙ୍କାପୁରୀ କଥା ନକହିଲେ ବୋଧହୁଏ କଟକ ବାଲିଯାତ୍ରା ଅଧୁରା ରହିଯିବ, ନୁହେଁ କି?
ଏହି ବାଲିଯାତ୍ରା ଚାଲିଥିବାବେଳେ, ଆଜିର ଜନଜୀବନ ସମ୍ବାଦରେ ଆସନ୍ତୁ ମନେ ପକାଇବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ହେଉଥିବା ଆଉ ୫ଟି ପ୍ରସିଦ୍ଧ ମେଳା ବା ଯାତ୍ରା ବାବଦରେ, ଯେଉଁଥିରେ ପୌରାଣିକ କାହାଣୀ ରହିଛି ଆଉ ତାସହ ଲୋକ ସମାଗମ ଓ ପରସ୍ପରକୁ ଭେଟିବାର ସୁଯୋଗ ।
ପ୍ରଥମେ ଢେଙ୍କାନାଳର ଯୋରନ୍ଦା ମେଳା।
ବୌଦ୍ଧିକ ଓ ଆଧ୍ୟାତ୍ମିକ ଚେତନାର ପେଣ୍ଠସ୍ଥଳୀ ଓଡ଼ିଶାରେ ଅନେକ ମନୀଷୀ ଜନ୍ମ ନେଇଛନ୍ତି ଆଉ ଏହାର ଅଧିବାସୀଙ୍କୁ ଆଲୋକିତ କରିଛନ୍ତି । ଏମିତି ଜଣେ ସନ୍ଥ ହେଉଛନ୍ତି ମହିବା ଗୋସେଇଁ, ଯାହାଙ୍କ ଚେତନାରେ ୧୪ଶ ଶତାବ୍ଦୀରୁ ରାଜ୍ୟରେ ପ୍ରସ୍ଫୁଟିତ ହୋଇ ଚାଲିଛି ମହିଳାମ ଧର୍ମ । ଏହି ଧର୍ମାବଲମ୍ବୀମାନେ ଦେଶ ତଥା ଦେଶ ବାହାରର ବିଭିନ୍ନ କୋଣରେ ରହିଛନ୍ତି । ହେଲେ ସେମାନେ ବର୍ଷର ଗୋଟିଏ ସମୟରେ ସର୍ବଦା ଚାହାନ୍ତି ଏକାଠି ହେବାକୁ ଢେଙ୍କାନାଳର ଯୋରନ୍ଦାରେ । ଏହି ସମୟ ପ୍ରତିବର୍ଷ ମାଘ ମାସ ପୂର୍ଣ୍ଣମୀର ୁ ଆରମ୍ଭ ହୋଇଥାଏ, ଯାହା ଇଂରାଜୀ କ୍ୟାଲେଣ୍ଡର ଜାନୁୟାରୀ ବା ଫେବୃୟାରୀ ମାସରେ ପଡ଼ିଥାଏ । ମହିମା ଧର୍ମର ସାଧୁ ସନ୍ଥ ଏହି ମେଳାରେ ଯୋରନ୍ଦାର ଗାଦି ମନ୍ଦିରରେ ଏକାଠି ହୋଇ ଧର୍ମାବଲମ୍ବୀଙ୍କୁ ଉପଦେଶ ପ୍ରଦାନ କରିଥାଆନ୍ତି । କେବେ ଆପଣ ଚାହିଁଲେ ଆସିପାରନ୍ତି ଏଠାର ଦିବ୍ୟ ଅନୁଭୂତି ନେବାକୁ ।
ମାଘ ମେଳା, ଖଣ୍ଡଗିରି
ଆପଣମାନେ ଭୁବନେଶ୍ୱରର ଖଣ୍ଡଗିିରି ଗୁମ୍ଫା କଥା ଶୁଣିଥିବେ । ଜୈନ ଧର୍ମର ପ୍ରଚାର ପ୍ରସାର ତଥା ଏହାର ସାଧୁସନ୍ଥଙ୍କ ରହଣୀ ଲାଗି ଏହି ଗୁମ୍ଫା ଦ୍ୱିତୀୟ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ସେତେବେଳେ ଏଠାରେ ଗୁମ୍ଫା ସଂଖ୍ୟା ଥିଲା ୧୧୭ । ଏବେ ଏହି ସଂଖ୍ୟା ରହିଛି ମାତ୍ର ୩୩ । ମାଘ ସପ୍ତମୀ ଦିନ ଏଠାରେ ମେଳା ପଡ଼େ । ବାଲିଯାତ୍ରା ପରି ଏଠାରେ ମଧ୍ୟ କିଛି ବ୍ୟବସାୟୀ ସେମାନଙ୍କ ପସରାର ଖୋଲନ୍ତି କିନ୍ତୁ ଏଠାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଏଠାକୁ ଆସୁଥିବା ସାଧୁ ସନ୍ୟାସୀ । ଭାରତର ବିଭିନ୍ନ ପ୍ରାନ୍ତରୁ ଏଠାକୁ ସାଧୁସନ୍ଥ ଆସିଥାଆନ୍ତି । କିଏ ସେଥିରୁ ନାଗାବାବା ତ ଆଉ କିଏ ଷ୍ଟାଣ୍ଡିଂ ବାବା । ଅର୍ଥାତ୍ କେବେ ଶୁଅନ୍ତିନି କି ବସନ୍ତିନି ଆଉ କିଏ ପୁଣି ଡକ୍ଟର ବାବା, ଯିଏ ସମସ୍ତଙ୍କୁ ମାଗଣାର ଚେରମୂଳି ଔଷଧ ବିତରଣ କରନ୍ତି । ଭାରି ଆକର୍ଷଣୀୟ କେବେ ସମୟ ହେଲେ ଦେଖିବାକୁ ଯାଇପାରନ୍ତି ।
ଚନ୍ଦ୍ରଭାଗା ମେଳା
ଏହିଦିନ ପୁରୀ ଜିଲ୍ଲାର କୋଣାର୍କସ୍ଥିତ ଚନ୍ଦ୍ରଭାଗା ନଦୀ କୂଳରେ ଆଉ ଏକ ମେଳା ହୁଏ । ତାହା ଚନ୍ଦ୍ରଭାଗା ମେଳା ଭାବେ ପରିଚିତ । ବିଶେଷକରି ମାଘ ମାସ ସପ୍ତମୀ ଦିନ ଏହା ଅନୁଷ୍ଠିତ ହୁଏ । ଏହାକୁ ଗଙ୍ଗାସ୍ନାନଠୁ ବି ମହନୀୟ ବୋଲି କେହି କେହି କହନ୍ତି । ସେଥିଲାଗି ତୀର୍ଥଯାତ୍ରୀ ପୂର୍ବଦିନ ଏଠାରେ ତମ୍ବୁଟାଣି ରହନ୍ତି । ଆଉ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପୁରୀ ଯାତ୍ରା କରନ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ଲାଗି । ଲୋକ କଥାରେ କୁହାଯାଇଛି ସାତ ଥର ଯିବୁ ଗଙ୍ଗା, ଥରେ ଯିବୁ ଯଦି ଚନ୍ଦ୍ରଭାଗାଲୋ ତୋ ମୁହଁ ପଡ଼ିଯିବ ରଙ୍ଗା । ଏତେ ଗହଳି ଓ କଷ୍ଟସାଧ୍ୟା ଆରାଧନାକୁ ଲକ୍ଷ୍ୟକରି ଏହି ଲୋକଗୀତଟି ବୋଧହୁଏ ଲେଖାଯାଇଛି ।
ବରଗଡ଼ ଧନୁଯାତ୍ରା
ଓଡ଼ିଶାର ଆଉ ଏକ ବିଶ୍ୱ ପ୍ରସିଦ୍ଧ ମେଳା ହେଉଛି ବରଗଡ଼ର ଧନୁଯାତ୍ରା ଓ ତତ୍ସଂଲଗ୍ନ ଲୋକସମାଗମ । ଏଠି ହେଉଥିବା ମୁକ୍ତାକାଶ ରଙ୍ଗମଞ୍ଚ ସାରା ବିଶ୍ୱରେ ବିରଳ । ସେଥିଲାଗି ତ ଏହା ଗିନିଜ୍ ବୁକ୍ ଅଫ୍ ୱଲ୍ଡ ରେକର୍ଡରେ ସ୍ଥାନ ପାଇଛି । ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଲୋକେ ଏଠି ଏକାଠି ହୁଅନ୍ତି । ପରମ୍ପରା ସହ ଆନନ୍ଦ ଓ ପରିବାର ଲୋକଙ୍କ ସହ ଭେଟ ହେବାର ଏହା ଏକ ସୌଭାଗ୍ୟ ବୋଲି କୁହାଯାଏ ।
ଠାକୁରାଣୀ ଯାତ୍ରା, ଗଞ୍ଜାମ
ଦକ୍ଷିଣ ଓଡ଼ିଶାରେ ଠାକୁରାଣୀ ଯାତ୍ରା କଥା ଏ ଅବସରରେ ନିଶ୍ଚୟ କହିବା ବିଷୟ । ଚୈତ୍ର ମାସରେ ଏହା ପାଳନ କରାଯାଏ । ଶିବରାତ୍ରୀୁରୁ ଆରମ୍ଭ ହୁଏ । ସାରା ବ୍ରହ୍ମପୁର ସହର ଏଥିଲାଗି ସୁ ସଜ୍ଜିତ ହୋଇଯାଏ । ଲୋକମାନେ ନୂଆ ପୋଷକ ପିନ୍ଧନ୍ତି । ଏ ଯାତ୍ରାରେ ପରମ୍ପରା ଅନୁସାରେ ଠାକୁରାଣୀଙ୍କ ଘଟ ବାହାରେ ଶୋଭାଯାତ୍ରାରେ । ଆଉ ତା ସହ ଗଞ୍ଜାମର ଲୋକନୃତ୍ୟ ଆକାରରେ ବାଘ ନୃତ୍ୟ, ପିଲାଖାଇ ଡାହାଣୀ ନୃତ୍ୟ ଆଦି ପ୍ରଦର୍ଶନ ହୁଏ । ମୁଖା ପିନ୍ଧିବା ସହ କଳାକାରମାନେ ଏଥିଲାଗି ଅନେକ ରଙ୍ଗ ନିଜ ଦେହରେ ଲଗାଇଥାଆନ୍ତି । ଅନେକ ଆକର୍ଷଣରେ ସାରା ସହରରେ ମେଳା ପରିବେଶ ସୃଷ୍ଟି ହୋଇଯାଏ ।
ଚଡ଼କ ମେଳା, ଉଡ଼ାଯାତ୍ରା, ବାଲେଶ୍ୱର
ମକରମେଳା ଯଦିଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୁଏ, କିନ୍ତୁ ରାଜ୍ୟର ଉତ୍ତରପ୍ରାନ୍ତରେ ଏଥିଲାଗି ବିଶେଷ ଆୟୋଜନ ହୋଇଥାଏ । ଉତ୍ତର ଓଡ଼ିଶାରେ ଏଥିଲାଗି ଆୟୋଜନ ହୋଇଥାଏ ଉଡ଼ା ପର୍ବ । ଏହା ଏକ ବହୁତ କଷ୍ଟ ଓ ସାଧନାର ପର୍ବ । ଭକ୍ତାମାନେ ଦେହରେ କଣ୍ଟା ଫୋଡ଼ି ବାଉଁଶ ଉପରେ ଟାଙ୍ଗି ହୋଇଥିବା ଦେଖିବାକୁ ମିଳନ୍ତି । ସେମାନଙ୍କୁ ଉଡ଼ା କୁହାଯାଏ । ବିଶେଷକରି ଚନ୍ଦନେଶ୍ୱରଙ୍କ ପୀଠରେ ଏହି ପର୍ବ ସାରା ଓଡ଼ିଶାବାସୀଙ୍କୁ ଆକର୍ଷଣ କରିଥାଏ ।