୨୦ ବର୍ଷରେ ଯାଦୁଗର ନବୀନ

ଦୁଇ ଦଶନ୍ଧି କିଛି କମ୍‌ ସମୟ ନୁହେଁ।  ରାଜତନ୍ତ୍ରରେ  ବି ଏତେ ଲମ୍ବା ସମୟ ଶାସନ ସୁଯୋଗ ଅନେକ ବଂଶାନୁକ୍ରମିକ  ରାଜାଙ୍କୁ  ମିଳିପାରି ନାହିଁ।  କିନ୍ତୁ  ଆଧୁନିକ ଗଣତନ୍ତ୍ରରେ ଓଡ଼ିଶାର ଲୋକମାନେ ବାରମ୍ବାର ତାଙ୍କୁ ନିର୍ବାଚିତ କରି ଆସୁଛନ୍ତି। ଆଜି ସେ ତାଙ୍କ ୫ମ ପାଳି ଶାସନର ପ୍ରଥମ ବର୍ଷକୁ ସମ୍ପୂଣ୍ଣ କରିବାକୁ ଯାଉଛନ୍ତି। ଅବଶ୍ୟ ଏହି ପାଳିଟି ବାତ୍ୟାରୁ ଆରମ୍ଭ ହୋଇ କୋଭିଡ୍‌ ବିପର୍ଯ୍ୟୟରେ ଭିତରେ ଶେଷ ହୋଇଛି। କିନ୍ତୁ ଏହି ବିପର୍ଯ୍ୟୟ ତାଙ୍କୁ ଅଧିକ ପକ୍ଵ ଓ ଆସ୍ଥାଭାଜନ କରିବାରେ ସହାୟକ ହୋଇଛି। ଯେଉଁଭଳି କିମିଆ ସେ ଲଗାଇଛନ୍ତି, ସେଥିରେ ବିରୋଧୀ ରାଜନୀତିକ ଦଳ ବିଜେପି ଏବେ ଚିତ୍‌ପଟାଙ୍ଗ ହୋଇଥିବା ବେଳେ ଅତୀତରେ କଂଗ୍ରେସ ବି ତାଙ୍କୁ କୋଳରେ ବସାଇଥିଲା।  ଅର୍ଥାତ୍‌ କ୍ଷମତାରେ ଥିବା ବିରୋଧୀ ଦଳଙ୍କୁ ଯିଏ ନିଜ ଇଙ୍ଗିତରେ ନିର୍ଦ୍ଧାରଣ କରିପାରୁଛି ତାଙ୍କୁ ରାଜନୀତିର କୁହକ ସମ୍ରାଟ୍‌ କୁହାଯିବନି ତ ଆଉ କ’ଣ?

ମେ’ ମାସ ୨୯ ତାରିଖ କହିଲେ ଓଡ଼ିଶାରେ ନବୀନଙ୍କୁ ହଟାଇବା ଲାଗି ହୋଇଥିବା ରାତି ଅଧିଆ ଷଡ଼ଯନ୍ତ୍ରର ଛବି ଆଖି ସାମ୍ନାକୁ ଚାଲି ଆସେ। ଯଦିଓ ଏ ଷଡ଼ଯନ୍ତ୍ରର ରଚୟିତା ଭାବେ ନିନ୍ଦିତ ନବୀନଙ୍କ ରାଜନୀତିକ ଅଙ୍କଲ୍‌ ପ୍ୟାରୀମୋହନ ମହାପାତ୍ର ଆଉ ନାହାନ୍ତି କିନ୍ତୁ ଓଡ଼ିଶା  ୨୦୧୨ ମସିହାରେ ଆୟୋଜନ କରାଯାଇଥିବା ସେ ଘଟଣାକୁ କେବେ ଭୁଲି ନାହିଁ କି ଭୁଲିବ ନାହିଁ। ଖୋଦ୍‌ ନବୀନ କିନ୍ତୁ ଏହି ଦିନଟିର କଳଙ୍କକୁ ଲୋକଙ୍କ ମନରୁ ହଟାଇବା ଲାଗି ୨୦୧୯ ବର୍ଷର ଏହି ଦିନଟିରେ ଓଡ଼ିଶାକୁ ଶାସନ କରିବା ଲାଗି ପଞ୍ଚମଥର ପାଇଁ ଶପଥ ନେଲେ। ଦୀର୍ଘ ବର୍ଷ ପରେ ଖରାଦିନିଆ ଝଡ଼ରେ ବିବ୍ରତ ହୋଇଥିବା ଉପକୂଳ ଓଡ଼ିଶାକୁ ପୁଣିଥରେ ଗଢ଼ି ତୋଳିବା ସହ ନିର୍ବାଚନ ପ୍ରଚାରରେ ବିରୋଧୀ ଦଳ ଉଗାଳିଥିବା ବିଷକୁ ହଜମ କରି ସେମାନଙ୍କ ପାଟି ଚୁପ୍‌ କରିବା ତାଙ୍କ ଆଗରେ ଯଦିଓ ଚ୍ୟାଲେଞ୍ଜ ଥିଲା, ମାତ୍ର  ଅଳ୍ପ କିଛି ମାସର ଶାସନ ଭିତରେ ଏସବୁକୁ  ଦମନ କରିପାରିଛନ୍ତି ନବୀନ।

ବିରୋଧୀ ଆଉଜିଛନ୍ତି

ଏ ବର୍ଷର ଶାସନକୁ ନିରିଖେଇ ଅନୁଶୀଳନ କଲେ ଜଣାଯାଏ ଯେ, ନବୀନ ବିରୋଧୀ ଦଳ ବଡ଼ ବଡ଼ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ବିଷଦାନ୍ତକୁ ଉପୁଡ଼ାଇବାରେ ସକ୍ଷମ ହୋଇଛନ୍ତି। ଯେଉଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳୀୟ ନେତାମାନେ ନିର୍ବାଚନ ପୂର୍ବରୁ ଓଡ଼ିଶାର ଜନସାଧାରଣଙ୍କ ଆଗରେ ନବୀନଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କରୁଥିଲେ ସେମାନେ ଆଜି  ପୋଷା ସାପ ପରି ପେଡ଼ି ଭିତରେ ଶାନ୍ତ ଅଛନ୍ତି। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କ ଯାଏ ନବୀନଙ୍କର ପ୍ରଶଂସା କରିବା ଦେଖି ସେ ବି ସେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ପୁଣି ଯେଉଁନେତା ନିର୍ବାଚନ ସମୟରେ ନବୀନଙ୍କୁ ଉପାଡ଼ି ଫୋପାଡ଼ିଦେବେ ବୋଲି କହୁଥିଲେ ସେମାନେ ଆଜି ନିଜେ ନବୀନଙ୍କ ଉପରେ ଆଉଜି ପଡ଼ିଥିବା ଦେଖାଯାଉଛି। କେନ୍ଦ୍ରୀୟ ନେତାମାନଙ୍କର ଏଭଳି ଆଚରଣ ଦେଖି ରାଜ୍ୟ ନେତାମାନଙ୍କ ମନରେ ଏବେ ଭାଳେଣି ପଡ଼ିଛି।  ଫଳରେ ବିରୋଧୀ ଦଳ ନେତା ଭାବେ ସରକାରଙ୍କୁ ସିନା ବିରୋଧ କରୁଛନ୍ତି ହେଲେ ଏହି ବିରୋଧ ଆଉ ଦାନା ଧରୁନି।

ଅଧିକ ପାଣ୍ଠି 

ଅପରପକ୍ଷେ ନବୀନଙ୍କର ଏହି ଧୀର ସ୍ଥିର ରାଜନୀତି ଓଡ଼ିଶା ପାଇଁ ଲାଭଦାୟକ ହୋଇଛି। ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇଥିବା ଓଡ଼ିଶା ନବୀନଙ୍କ ନେତୃତ୍ଵରେ ଅପେକ୍ଷାକୃତ ଅଧିକ ପାଣ୍ଠି ପାଇବାରେ ସକ୍ଷମ ହୋଇଛି। କେନ୍ଦ୍ରରେ ନିଜର ଏକ ସ୍ଵତନ୍ତ୍ର ପ୍ରତିଚ୍ଛବି ସ୍ଥାପନ କରିପାରିଛି।  ଅଧିକ ପ୍ରକଳ୍ପ ଲାଗି ପାଣ୍ଠି ଆସିବା ଦ୍ଵାରା ରାଜ୍ୟରେ ଅଧିକ ଉନ୍ନତିମୂଳକ ପ୍ରକଳ୍ପ ସମ୍ଭବ ହୋଇପାରିଛି। ଅର୍ଥାତ୍‌ ରାଜ୍ୟର ସ୍ଵାର୍ଥ ରକ୍ଷା ପାଇଁ ରାଜ୍ୟବାସୀ ଯେମିତି ଏକ ଆଞ୍ଚଳିକ ଦଳ ଉପରେ ଭରସା କରି ବାରମ୍ବାର କ୍ଷମତାସୀନ କରୁଛନ୍ତି ସେହି ଦଳର ନେତା ଭାବେ ଲୋକଙ୍କ ଅଭୀପ୍‌ସାକୁ ପୂରଣ କରୁଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିପର୍ଯ୍ୟୟକୁ ସାମ୍ନା

ଓଡ଼ିଶାରେ ନବୀନଙ୍କ ଶାସନ ପ୍ରାକୃତିକ ବିପର୍ଯ୍ୟୟରୁ ହିଁ ଆରମ୍ଭ ହୋଇଥିଲା। ୧୯୯୯ର ମହାବାତ୍ୟା କଥା ଭାବିଲେ ଆଜି ବି ଲୋକଙ୍କ ଆଖିରୁ ଲୁହ ଖସିଥାଏ। ଏହା ପରେ ଯେ ଓଡ଼ିଶା ବାତ୍ୟା ଦେଖିନି  କି କ୍ଷୟ କ୍ଷତି ସହିନି ତା ନୁହେଁ କିନ୍ତୁ ଏହି ବାତ୍ୟାକୁ ସଫଳତାର ସହ ମୁକାବିଲା କରିବାରେ ରାଜ୍ୟର ପ୍ରଶାସନ ଯେମିତି ପ୍ରାମଣିକ ସଫଳତା ଦେଖାଇଛନ୍ତି ତାହା ଲୋକଙ୍କ ମନରେ ଆଉ ଏକ ବାତ୍ୟାକୁ ସାମ୍ନା କରିବା ଲାଗି ଦମ୍ଭ ସୃଷ୍ଟି କରିଛି। ଫାଇଲିନ, ତିତଲି, ହୁଡ଼ହୁଡ଼ ପରେ ମେ’ ୩ ତାରିଖ ୨୦୧୯ରେ ରାଜ୍ୟ ଏକ ସାଂଘାତିକ ବାତ୍ୟା ଦେଖିଥିଲା। ଫଣା ଟେକିଲା ଭଳି ପବନ ଉପକୂଳ ଓଡ଼ିଶା ବିଶେଷକରି ପୁରୀ ଓ ଖୋର୍ଦ୍ଧାରେ ତାଣ୍ଡବ ରଚିଥିଲା। ଅନେକ କଷ୍ଟ ଏହି ଅଞ୍ଚଳବାସୀ ସହିଛନ୍ତି। କିନ୍ତୁ ଶାସନକୁ ଆସିବା ପରେ ଯେଉଁ ପ୍ରକାରେ ବାତ୍ୟାକୁ ପରିଚାଳନା କରାଯାଇଛି ତାହା ବାସ୍ତବରେ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଏଥିଲାଗି ଓଡ଼ିଶାକୁ ଅନେକ ପ୍ରଶଂସା ଓ ପୁରସ୍କାର ମିଳିଛି।   ଏଣୁ ଯେତେବେଳେ ଆଉ ଏକ  ଖରାଦିନିଆ ବାତ୍ୟା ଏ ବର୍ଷ ଓଡ଼ିଶା ମୁହାଁ ହେଲା ସେତେବେଳେ ଲୋକେ ଯେ ସୁରକ୍ଷିତ ସେଇ ଭାବନା ସୃଷ୍ଟି ହୋଇଥିଲା।

ପ୍ରାକୃତିକ ବିପର୍ଯ୍ୟୟକୁ ଠିକଣା ପରିଚାଳନା ସହ ରାଜ୍ୟ ସରକାର ଆଉ ଏକ ଆହ୍ବାନ ଏବର୍ଷ ଗ୍ରହଣ କରିଲେ। ତାହା ହେଲା ପୁରୀ ଓ ଏକାମ୍ର କ୍ଷେତ୍ରର ବିନ୍ୟାସ ଏବଂ ଭୁବନେଶ୍ଵର ସ୍ମାର୍ଟ ସିଟିର ପୁନର୍ଗଠନ।  ଅବଶ୍ୟ କରୋନା ଭୁତାଣୁ ସଂକ୍ରମଣର ଭୟ ଭିତରେ ଏ କାର୍ଯ୍ୟ ଗଲା ଦୁଇମାସ ହେଲା ସମ୍ପୂଣ୍ଣ ବନ୍ଦ ରହିଛି କିନ୍ତୁ ଏବର୍ଷ ରଥଯାତ୍ରା ଯଦି ଟେଲିଭିଜନ୍‌ରେ ସିଧା ପ୍ରସାରଣ ହୁଏ ତେବେ ସମଗ୍ର ବିଶ୍ଵ ସେହି ପୁନର୍ବିନ୍ୟାସ ପରିକଳ୍ପନାକୁ ଅନୁଭବ କରିପାରିବ ବୋଲି ଏକ ଆଶା ସୃଷ୍ଟି ହୋଇଛି।

ମନ୍ତ୍ରୀ, ନେତା ନୀରବ

ପଞ୍ଚମ ଥର ଶାସନ ହାତକୁ ନେବା ପରେ ନବୀନ ଯେଉଁ ସରକାର ସଂରଚନା କଲେ ସେଥିରେ ୧୧ଜଣ କ୍ୟାବିନେଟ୍‌ ମନ୍ତ୍ରୀ ରହିଲେ। ଆଉ ଏଥିରେ ଗୁରୁତ୍ଵପୂଣ୍ଣ ବିଷୟ ହେଲା ଏସବୁ ମନ୍ତ୍ରୀଙ୍କ ଭିତରୁ ୧୧ଜଣ ହେଲେ ସମ୍ପୂଣ୍ଣ ନୂଆ। ଜଣେ ମନ୍ତ୍ରୀଙ୍କର ଅଭିଜ୍ଞତା ଥିଲା। ଏହାଦ୍ଵାରା ସେ ପ୍ରମାଣିତ କରିଦେଲେ ଯେ, କୌଣସି ବିଭାଗ ବା ମନ୍ତ୍ରୀ ମନ ଇଚ୍ଛା ଚାଲେନି ବରଂ ସବୁ କିଛି ତାଙ୍କ ନିୟନ୍ତ୍ରଣରେ ପରିଚାଳିତ। ଆଗରୁ ଦୁର୍ନୀତିର ଗନ୍ଧ ମିଳିବାର ତୁରନ୍ତ ବାଦ ସମ୍ପୃକ୍ତ ମନ୍ତ୍ରୀଙ୍କ ମୁଣ୍ଡ ଗଡ଼ାଇବା ନବୀନଙ୍କ ଶାସନରେ ଅନେକଥା ଲକ୍ଷ୍ୟ କରାଯାଇଛି।  ଏଥର କିନ୍ତୁ ଏମିତି କିଛି ଘଟଣାର ସୁରାଗ ଆସି ନାହିଁ। ଅର୍ଥାତ୍‌ ନବୀନଙ୍କ ରଣନୀତି ପ୍ରମାଣ କରିଛି ଯେ ଅଭିଜ୍ଞତା ଥିବା ମନ୍ତ୍ରୀ ବୋଧ ହୁଏ ଅଧିକ ଦୁର୍ନୀତିଗ୍ରସ୍ତ!

 

ଓଡ଼ିଆ ଭାଷା ଓ ବନ୍ଦେ ଉତ୍କଳ ଜନନୀ

ନବୀନଙ୍କ ପ୍ରଶାସନିକ ଆତ୍ମ ବିଶ୍ଵାସ ଭିତରେ  ଗୋଟିଏ ଦୁର୍ବଳତା ହେଉଛି ଓଡ଼ିଆ ଭାଷା। ନିର୍ବାଚନ ପୂର୍ବରୁ ଭାଷାକୁ ନେଇ ଅନେକ ଆଲୋଚନା କରିବା ସହ ଭାଷାର ବିକାଶ ଏବଂ ସଂଚାର ପାଇଁ ସରକାର ଐତିହ୍ୟ କ୍ୟାବିନେଟ୍‌ରେ ଅନେକ ଗୁରୁତ୍ଵପୂଣ୍ଣ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଗୁଗୁଲ୍‌ ସର୍ଚ କନ୍ସେୋଲ୍‌ରେ ଓଡ଼ିଆକୁ ଅନ୍ତର୍ଭୁକ୍ତ କରିବା, ଓଡ଼ିଆ ଭାଷା ପାଇଁ ଏକ ଭର୍ଚୁଆଲ୍‌ ଲାଇବ୍ରେରୀ ନିର୍ମାଣ କରିବା, ଓେବ୍‌ରେ ଅଧିକରୁ ଅଧିକ ଓଡ଼ିଆ ଭାଷାକୁ ପ୍ରସାର କରିବା ଆଦି ଉଦ୍ୟମ ଅନ୍ତର୍ଭୁକ୍ତ। ହେଲେ ଦୁର୍ଭାଗ୍ୟ ଯେ, ଏସବୁ ଘୋଷଣା ଏବେ ବି ସେମିତି ଫାଇଲ୍‌ ଭିତରେ ରହିଛି। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ପାଇଁ ଏଯାଏ ଏକ ସ୍ଵତନ୍ତ୍ର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇପାରି ନାହିଁ। ଓଡ଼ିଆ ଭାଷାକୁ ଗୁଗୁଲ୍‌ ଅନ୍ତର୍ଭୁକ୍ତି କାର୍ଯ୍ୟ ହୋଇପାରି ନାହିଁ କି ଓଡ଼ିଆ ଓ୍ବେବ ପୋର୍ଟାଲଙ୍କୁ ସ୍ଵତନ୍ତ୍ର ମାନ୍ୟତା ମିଳିପାରି ନାହିଁ। କିଛି ନିର୍ଦିଷ୍ଟ ଅଧିକାରୀଙ୍କ ବ୍ୟବହାରିକ ବୈଷୟିକ ଜ୍ଞାନ ଅଭାବ ଏବଂ ସବୁ ଜିନିଷକୁ ଜାବୁଡ଼ି ରଖିବାର ପ୍ରବୃତ୍ତି ହେତୁ ଏଭଳି ଅବ୍ୟବସ୍ଥା ହେଉଛି, ଯାହା ଆଗକୁ ସରକାରଙ୍କୁ ଅନେକ କ୍ଷତି ପହଞ୍ଚାଇବା ଜଳ ଜଳ ଦିଶୁଛି।

ଅପରପକ୍ଷେ ସରକାର ଦୀର୍ଘ ବର୍ଷ ହେଲା ଓଡ଼ଆ ଜାତୀୟତାବାଦର ପ୍ରତୀକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏକ ନୂଆ ଆଶା ସଂଚାର କରାଇଛନ୍ତି। ମେ ମାସ ୩୦ ତାରିଖ ତଥା ଆସନ୍ତା ଶନିବାର ସନ୍ଧ୍ୟା ସାଢ଼େ ପାଞ୍ଚଟାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଲାଗି ସବୁ ଓଡ଼ିଆଙ୍କୁ ଏହି ଗୀତ ଗାଇବାକୁ ଅନୁରୋଧ କରିଛନ୍ତି। ପଞ୍ଚମ ପାଳିର ପ୍ରଥମ ବର୍ଷରେ  ମୁଖ୍ୟମନ୍ତ୍ରୀଙ୍କ ଏହି ଶେଷ ଅନୁରୋଧ ଦ୍ଵିତୀୟ ବର୍ଷ ପଦାର୍ପଣର ପ୍ରଥମ କାର୍ଯ୍ୟ ହେବ।   ଓଡ଼ିଆଙ୍କ ଭିତରେ ଏକତା ବୃଦ୍ଧି ଓ ଜାତୀୟତାବାଦ ବିକାଶ ଲାଗି ଏହି ପଦକ୍ଷେପ ଦ୍ଵିତୀୟବର୍ଷରେ ଅନେକ ନୂଆ ମାଇଲ୍‌ଷ୍ଟୋନ୍‌ ସୃଷ୍ଟି କରିବ ବୋଲି ଆଶା କରାଯାଇପାରେ।

 

 

Leave a Reply

Your email address will not be published.