ଉତ୍ତରପ୍ରଦେଶ ବିଧାନସଭା ବାହାରେ ଗୁଳିକାଣ୍ଡ, ପୋଲିସ ଇନିସପେକ୍ଟର ମୃତ
ଲକ୍ଷ୍ନୌ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶ ବିଧାନସଭା ସୌଧ ବାହାରେ ଗୁରୁବାର ଗୁଳିକାଣ୍ଡ ହୋଇଛି। ଫଳରେ ଜଣେ ପୋଲିସ ଇନିସପେକ୍ଟରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଇନିସପେକ୍ଟରଙ୍କୁ ନିର୍ମଳ ଚୌବେ ଭାବେ ଚିହ୍ନଟ କରାଯାଇଥିବା ବେଳେ ହସ୍ପିଟାଲ ନିଆଯାଉଥିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ବିଧାନସଭାର ୭ ନମ୍ବର ଗେଟ୍ ନିକଟରେ ଏହି ଗୁଳିକାଣ୍ଡ ହୋଇଛି।
ଇନିସପେକ୍ଟର ଚୌବେ ବିଧାନସଭା ୭ ନମ୍ବର ଗେଟ୍ରେ ମୂତୟନ ଥିଲେ। ଅଚାନକ ଗୁଳି ଶବ୍ଦ ଶୁଣି ସୁରକ୍ଷା ଦାୟିତ୍ୱରେ ଥିବା ଜବାନମାନେ ଏଣେତେଣେ ଦଉଡାଧାପଡା କରିଥିଲେ। ତେବେ ନିର୍ମଳ ଚୌବେ ଟଳିପଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଗୁଳି କେଉଁଠୁ ଓ କିଏ ଚଳାଇଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଗେଟ୍ ନମ୍ବର ୭ର ପାର୍କିଂ ଏରିଆରୁ ଗୁଳି ଚଳିଥିବାର ଅନୁମାନ କରାଯାଉଛି।
ଘଟଣା ପ୍ରଘଟ ହେବା ପରେ ଲକ୍ଷ୍ନୌରେ ଉତ୍ତେଜନା ଦେଖାଦେଇଛି। ବିଧାନସଭା ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁଳିକାଣ୍ଡକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ଗୁଳିକାଣ୍ଡ ମାମଲାର ତଦନ୍ତ ଆରମ୍ଭ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ପରବର୍ତ୍ତି ଖବରକୁ ଏବେ ଅପେକ୍ଷା କରାଯାଇଛି।