ସୀମାରେ ନେପାଳ ପୋଲିସର ଗୁଳିବର୍ଷା; ଜଣେ ଭାରତୀୟ ମୃତ; ୫ ଗୁରୁତର
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଶୁକ୍ରବାର ଦିନ ନେପାଳ ସୀମାନ୍ତଙ୍କୁ ଲାଗିଥିବା ବିହାର ରାଜ୍ୟର ସୀତାମାଢ଼ି ଜିଲ୍ଲାରେ ନେପାଳ ପୁଲିସ ଆଖିବୁଜା ଗୁଳି ଚଳାଇବାରୁ ଅନ୍ୟୂନ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ସୋନବର୍ଷା ଥାନା ଅଧୀନ ପିପ୍ରା ପରସୈନ୍ ପଞ୍ଚାୟତ ଅଧୀନ ଲାଲବନ୍ଦୀ-ଜାନକୀ ନଗର ସୀମାନ୍ତରେ କିଛି ଭାରତୀୟ ଏବଂ ନେପାଳ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିବାରୁ ଗୁଳିକାଣ୍ଡ ଘଟିଥିଲା।
ଆଜି ଗୁଳିମାଡ଼ରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ନେଇ ଜିଲ୍ଲା ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି ।
ସୂଚନାଥାଉକି, ଦୁଇଦେଶ ମଧ୍ୟରେ ନକ୍ସାକୁ ନେଇ ବିବାଦ ଲାଗି ରହିଛି। ଏନେଇ ଭାରତ କହିଛି ଯେ ଏହି ପ୍ରସଙ୍ଗ ଯୋଗୁ ଦୁଇ ଦେଶ ମଧ୍ୟରେ ଅବିଶ୍ୱାସ ଦେଖାଦେଇଛି। ବୁଝାମଣା କରିବା ପୂର୍ବରୁ ନେପାଳ ପ୍ରଥମେ ଭାରତକୁ ବିଶ୍ୱାସ କରିବା ଆବଶ୍ୟକ। ଏ ସମସ୍ତ ଘଟଣା ନେପାଳର ନୂଆ ନକ୍ସାକୁ ନେଇ ଘଟୁଛି। ନୂଆ ନକ୍ସାରେ ନେପାଳ ଭାରତର ମୋଟ ୩୯୫ ବର୍ଗ କିଲୋମିଟରକୁ ନିଜର ଜାଗା ଭାବେ ଦର୍ଶାଇଛି। ସେଥିରେ ଲିମ୍ପିୟାଧୁରା, ଲିପୁଲେଖ , କାଲାପାନି, ଗୁଞ୍ଜୀ, ନାଭି ଓ କାଟି ଗାଁ ଅନ୍ତର୍ଭୁକ୍ତ ।
ନେପାଳ ତା’ର ନକ୍ସାରେ ୬୦ବର୍ଗ କିଲୋମିଟର କାଲାପାନିକୁ ନିଜର ବୋଲି ମଧ୍ୟ ଦର୍ଶାଇଛି। ସେହିଭଳି ୩୯୫ ବର୍ଗ କିଲୋମିଟର ଲିମ୍ପିଆଦୁରା ଉପରେ ମଧ୍ୟ ଦାବି କରିଛି। ନେପାଳର କ୍ୟାବନେଟ୍ର ଏକ ବୈଠକରେ ଏହି ନକ୍ସାକୁ ଅନୁମୋଦନ ମିଳିଥିବା ଜଣାପଡିଛି।