CMC ଯନ୍ତ୍ରୀ ବିଭାଗରେ ଭୟାବହ ଅଗ୍ନିକାଣ୍ଡ
କଟକ, (ଓଡିଶା ଟାଇମ୍) :କଟକ ମହାନଗର ନିଗମର ଯନ୍ତ୍ରୀ ବିଭାଗ ଷ୍ଟୋରରୁମରେ ଭୟାବହ ଅଗ୍ନିକାଣ୍ଡ । ଷ୍ଟୋରରୁମ ପଛରେ ଥିବା ଅଳିଆଗଦାରୁ ପ୍ରଥମେ ନିଆଁ ଲାଗିଥିଲା । ଯାହା ଧିରେ ଧିରେ ଷ୍ଟୋରରୁମକୁ ବ୍ୟାପିଥିଲା । ତେବେ ଉଚିତ ସମୟରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କ୍ଷୟକ୍ଷତି କେତେ ମାତ୍ରାରେ ହୋଇଛି ତାର ଆକଳନ ଏଯାଏଁ ହୋଇପାରିନାହିଁ ।
ବାଦାମବାଡି ସ୍ଥିତ ସିଏମସିର ବିକାଶ ଭବନରେ ରହିଛି ଯନ୍ତ୍ରୀ ବିଭାଗ । ବିଭାଗର ଷ୍ଟୋରରୁମରେ କେତେକ ପୁରୁଣା କେବୁଲ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ହେଲେ ବଡକଥା ହେଉଛି ସମଗ୍ର କଟକ ସହରକୁ ନିୟନ୍ତ୍ରଣ କରୁଥିବା ସିଏମସିର ଯନ୍ତ୍ରୀ ବିଭାଗର ରକ୍ଷଣାବେକ୍ଷଣ ଲାଗି ବିଭାଗୀୟ ବାବୁମାନେ କେମିତି ସଚେତନ ନୁହଁନ୍ତି । କାରଣ ଷ୍ଟୋରରୁମରେ ଆହୁରି ଅନେକ ମୂଲ୍ୟବାନ ସମ୍ପତ୍ତି ରହିଛି । ଯଦିଓ ଠିକ୍ ସମୟରେ ନିଆଁ ଆୟତ୍ତ ହୋଇପାରିଛି, କିନ୍ତୁ ଏହା ନ ହୋଇଥିଲେ ହୁଏତ ବ୍ୟାପକ କ୍ଷୟକ୍ଷତି ହୋଇଥାନ୍ତା ।