ଲକ୍‌ଡାଉନ୍‌ରେ ଫେମିନିଜିମ୍‌

ଅମ୍ରିତା କୁଣ୍ଡୁ

ସମଗ୍ର ବିଶ୍ୱ ଏବେ କୋଭିଡ ମହାମାରୀର ଆକ୍ରାନ୍ତରେ । ସମାଜର ସମସ୍ତ ବର୍ଗ ଓ ସମସ୍ତ ସ୍ତରକୁ କରୋନା ପ୍ରଭାବିତ କରିଛି । ଏଭଳି ଭୟାଭୟ ସମୟରେ ସମାଜରେ ମହିଳାମାନଙ୍କର ପରିସ୍ଥିତି ନିଶ୍ଚୟ ଚିନ୍ତାର ଅନୁଶୀଳନ ପରିଧିକୁ ଆସୁଛି । ୨୦୨୦ ମସିହାରେ ବିଶ୍ୱ ୧୧୦ତମ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି । ଲିଙ୍ଗଗତ ବୈଷମ୍ୟକୁ ଦୂରକରି ସାମାଜିକ, ଅର୍ଥନୈତିକ ଓ ରାଜନୈତିକସ୍ତରରେ ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମାନ ଅଧିକାର ଦେବାକୁ ବର୍ଷ ବର୍ଷ ଧରି ଚେଷ୍ଟା ହୋଇଆସୁଛି । ତେବେ କରୋନାର ପ୍ରକୋପ ଯୋଗୁଁ ଯେଉଁ ଲକ୍‌ଡ଼ାଉନ୍‌ର ପ୍ରକ୍ରିୟା ଚାଲିଛି, ଲାଗୁଛି ବର୍ଷବର୍ଷ ଧରି ଚାଲିଥିବା ଫେମିନିଜିମ୍‍ ବା ନାରୀବାଦର ଏହି ସଂଘର୍ଷ ପୁଣି ୧୦୦ ବର୍ଷ ପଛକୁ ଘୁଞ୍ଚି ଯିବ!

ସମଗ୍ର ବିଶ୍ୱ ଏକ ବିରାଟ ଅର୍ଥନୈତିକ ସଙ୍କଟ ଆଡ଼କୁ ମୁହାଁଉଥିବା ବେଳେ, ଅଧିକାଂଶ ମହିଳାଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ସଂଗୀନ ହେଉଥିବାର ଦେଖାଯାଉଛି । ଭାରତରେ ଅଧିକାଂଶ କର୍ମଜୀବୀ ମହିଳା ଅବ୍ୟବସ୍ଥିତ କ୍ଷେତ୍ରରେ କାମ କରିଥାନ୍ତି । ଯେଉଁଥିରେ କି, ଚାକିରୀର ସ୍ଥାୟିତ୍ୱ ବା ଜବ୍ ସିକ୍ୟୁରିଟି ପ୍ରାୟତଃ ନଥାଏ ଓ ସମାନ ଶ୍ରମ ପାଇଁ ପୁରୁଷଙ୍କ ତୁଳନାରେ କମ୍ ଦରମା ମଧ୍ୟ ମିଳିଥାଏ । ଏଭଳି ପରିସ୍ଥିତିରେ ଲକ୍‌ଡ଼ାଉନ୍ ପରବର୍ତ୍ତୀ ସମୟରେ ମହିଳାମାନଙ୍କର ଚାକିରିର ସ୍ଥାୟିତ୍ୱ ଯେ ପ୍ରତିଶୃତିରେ ଆବଦ୍ଧ ହୋଇ ରହିବ ନାହିଁ ତାହା ସହଜେ ଅନୁମେୟ । ଅଧିକାଂଶ କର୍ମସଂସ୍ଥାନ ଏବେଠାରୁ କର୍ମଚାରୀଙ୍କୁ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ କରିଦେଲେଣି । କହିବା ନିରର୍ଥକ ଯେ, ଛଟେଇ କର୍ମଚାରୀଙ୍କ ଭିତରେ ମହିଳାଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ।

ସେହିପରି ସାମାଜିକ ଦାୟିତ୍ୱବୋଧ କଥା ଯଦି କୁହାଯିବ, ତେବେ ଅଧିକାଂଶ ମହିଳା ଏବେ ଘରର ଚାରି କାନ୍ଥ ଭିତରେ ବନ୍ଦ ପ୍ରାୟ । କେବଳ ଯେ କର୍ମଜୀବୀ ମହିଳାଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି ତା ନୁହେଁ, ବରଂ ସବୁ ସମୟରେ ଘରେ ରହୁଥିବା ମହିଳାମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । ପ୍ରାୟତଃ ସବୁଦିନ ଅଫିସ ଯାଉଥିବା ଘରର ପୁରୁଷ ସଦସ୍ୟ ଓ ନିୟମିତ ସ୍କୁଲ ଯାଉଥିବା ଛୋଟ ପିଲାମାନେ ଏବେ ଅଧିକାଂଶ ସମୟ ଘରେ ରହୁଛନ୍ତି । ଏଭଳିି ସ୍ଥିତିରେ ଘରେ ଥିବା ମହିଳାଙ୍କ ଉପରେ କେବଳ ଯେ କାମର ଚାପ ବୃଦ୍ଧି ପାଉଛି ତା ନୁହେଁ ବରଂ ମାନସିକ ଚାପ ମଧ୍ୟ ବଢୁଛି । ଏପରିକି ଅନେକଙ୍କ କ୍ଷେତ୍ରରେ ଏହା ବିବାହ ବିଚ୍ଛେଦ ଆଡ଼କୁ ମୁହାଁଉଥିବା ମଧ୍ୟ ଏକ ସର୍ଭେରୁ ଜଣାପଡ଼ିଛି । କେବଳ ସେତିକି ନୁହେଁ ଭାରତରେ ଅନେକ ଘରେ ଏହା ଘରୋଇ ହିଂସାର ରୁପ ନେଉଥିବା ଅନ୍ୟ ଏକ ତଥ୍ୟରୁ ପ୍ରକାଶ । ଘରୋଇ ଦାୟିତ୍ୱବୋଧ କାରଣରୁ ଅନେକ କର୍ମଜୀବୀ ମହିଳା ୱାର୍କ ଫ୍ରମ ହୋମ୍ ବା ଘରୁ ରହି କାର୍ଯ୍ୟ କରିବାରେ ଅସମର୍ଥ ବୋଲି ସଫା ସଫା ଜଣାଇ ଦେଉଛନ୍ତି । ଫେମିନିଜମର ରାସ୍ତା ଅବରୋଧ କରିବାରେ ଏଭଳି ପରିସ୍ଥିତି ଯେ ଯଥେଷ୍ଟ ଦାୟୀ ତାହା କେହି ହେଲେ ଅସ୍ଵୀକାର କରିବେ ନାହିଁ ।

ଏକ ଆପ୍ ରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଲକ୍‌ଡ଼ାଉନ୍ ସମୟରେ ଭାରତରେ ପ୍ରେଗନାନ୍‍ସୀ ଟେଷ୍ଟ କିଟ୍ ଓ କଂଟ୍ରାସେପଟିଭ୍‍ର ବିକ୍ରି ଯଥେଷ୍ଟ ବଢ଼ିଛି । ତେବେ ଭାରତରେ ଅନେକ ଏପରି ଅପହଞ୍ଚ ଅଞ୍ଚଳ ରହିଛି, ଯେଉଁଠାରେ କି ଶିକ୍ଷା ଏବେ ମଧ୍ୟ ଦୁରନ୍ତ ସ୍ୱପ୍ନ । ଉପରୋକ୍ତ ତଥ୍ୟକୁ ଯଦି ବିଚାରକୁ ନିଆଯାଏ, ତେବେ ସେକ୍ସକୁ ନେଇ ସଚେତନତାର ଅଭାବଥିବା ଏହିସବୁ ଅଞ୍ଚଳରେ ମହିଳାମାନଙ୍କ ସ୍ଥିତି ଯେ କଣ ହେଉଥିବ, ତାହା ସହଜରେ ଅନୁମାନ କରିହେଉଛି!

କୋଭିଡ୍‍ ପରର ପୃଥିବୀରେ ଟ୍ରେଡ୍‍ ୱାର, ଆର୍ଥିକ ସଙ୍କଟ ଭଳି ବିଭିନ୍ନ ସମସ୍ୟାକୁ ନେଇ ଏବେଠୁ ଚର୍ଚ୍ଚା କରାଯାଉଥିବାବେଳେ ମହିଳାମାନଙ୍କ ଏହି ସବୁ ସମସ୍ୟାକୁ ଯଦି ବିଚାରକୁ ନିଆ ନ ଯାଏ, ତେବେ ଲକଡାଉନରେ ଥିବା ଫେମିନିଜିମ ନିଶ୍ଚିତ ୧୦୦ ବର୍ଷ ପଛକୁ ଚାଲିଯିବ ।

ଲେଖକ ସମ୍ବାଦ ସ୍କୁଲ୍‍ ଅଫ୍‍ ମିଡିଆ ଆଣ୍ଡ କଲ୍‍ଚରରେ ଅଧ୍ୟାପନା କରନ୍ତି। ଏହି ସନ୍ଦର୍ଭରେ ପ୍ରତିଫଳିତ ମନ୍ତବ୍ୟ ତାଙ୍କ ନିଜସ୍ଵ ଅନୁଶୀଳନ ଉପରେ ଆଧାରିତ। ତାଙ୍କ ମୋବାଇଲ୍‌ ନମ୍ବର: ୯୪୩୮୭୯୪୧୪୧

Leave a Reply

Your email address will not be published. Required fields are marked *