କାଶ୍ମୀର ଉପତ୍ୟକାରେ ବଢୁଥିବା ଆକ୍ରମଣକୁ ନେଇ ଆତଙ୍କିତ ପ୍ରବାସୀ
ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଜମ୍ମୁ–କାଶ୍ମୀରରେ ବଢିଚାଲିଥିବା ଆତଙ୍କୀ ଆକ୍ରମଣ ଏବଂ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଏବେ ପୁରା ଦେଶରେ ଚହଳ ସୃଷ୍ଟି ହୋଇ ଯାଇଛି । କିଛି ବର୍ଷ ହେବ ଶାନ୍ତ ପଡିଥିବା କାଶ୍ମୀର ଉପତ୍ୟକା ଏବେ ଅମାନବୀୟ ବନ୍ଧୁକଧାରୀଙ୍କ ଆତଙ୍କରେ ଥରୁଛି । ରବିବାର ଆତଙ୍କବାଦୀମାନେ ୨ ନାଗରିକଙ୍କୁ ହତ୍ୟା କରିଥିବା ବେଳେ କେବଳ ଏପର୍ଯ୍ୟନ୍ତ ଅକ୍ଟୋବର ମାସରେ ମୋଟ ୧୧ ଜଣ ନାଗରିକଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରୁ ୩ଜଣ ପ୍ରବାସୀ ରହିଛନ୍ତି । ଯାହାକୁ ନେଇ ଏବେ ଜମ୍ମୁ-କାଶ୍ମୀରରେ କାମ କରୁଥିବା ପ୍ରବାସୀଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଯାଇଛି । ଯାହାର ପ୍ରତିଫଳନ ସୋମବାର ଶ୍ରୀନଗର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ପ୍ରବାସୀ ସେମାନଙ୍କ ପରିବାର ଓ ଜିନିଷପତ୍ର ସହ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଅପେକ୍ଷା କରିଥିବାର କରୁଣ ଦୃଶ୍ୟ ସମସ୍ତ ଗଣ ମାଧ୍ୟମରେ ପ୍ରସାରିତ ହୋଇଛି ।
ଏ ସଂକ୍ରାନ୍ତରେ ତତ୍ପରତା ଦେଖାଇଛି କେନ୍ଦ୍ର ଗୃହ ବିଭାଗ । ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ପ୍ରମୁଖ ସୁରକ୍ଷା ଅଧିକାରୀ ଏବଂ ପାରା ମିଲିଟାରି ଅଫିସରଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କାଶ୍ମୀରର ସୁରକ୍ଷା ସାଙ୍ଗକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନେଇ ଠୋସ ପଦକ୍ଷେପ ନେବା ଉପରେ ମଧ୍ୟ ଆଲୋଚନା ହୋଇଛି ।
ଗୋଟିଏ ପଟେ କାଶ୍ମୀରରେ ଦେଶର ନାଗରିକଙ୍କୁ ଆତଙ୍କବାଦୀମାନେ ଅମାନବୀୟ ଭାବେ ହତ୍ୟା କରୁଛନ୍ତି । ଆଉ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଜମ୍ମୁ-କାଶ୍ମୀରକୁ କାମ କରିବାକୁ ଯାଉଥିବା ନୀରିହ ପ୍ରବାସୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି । ଏ ଦିଗରେ ସରକାର ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ତେବେ କାଶ୍ମୀରର ପରିସ୍ଥିତି ସଂପର୍କରେ ଜମ୍ମୁ-କାଶ୍ମୀରର ଲେପ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ସେ ଆଲୋଚନା କରିଛନ୍ତି । ପିଟିଆଇର ତଥ୍ୟ ଅନୁଯାୟୀ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବିହାରର ପ୍ରବାସୀଙ୍କ ପାଇଁ ୨ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି ନୀତିଶ ସରକାର । ଏହା ଛଡ଼ା ସେମାନଙ୍କ ପରିବାର ସହ ସରକାର ସବୁ ସ୍ଥିତିରେ ଅଛନ୍ତି ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଦେଶର କୌଣସି ବି କୋଣକୁ ଯାଇ କାମ କରିବା ସମସ୍ତ ନାଗରିକର ଅଧିକାର ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ :