ଆଜି ସଦଭାବନା ଦିବସ ପାଳନ କରିବେ କୃଷକ, ଦିନ ସାରା ରହିବେ ଉପବାସ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନୂଆ କୃଷି ଆଇନକୁ ନେଇ କୃଷକ ଆନ୍ଦୋଳନ ଏବେବି ଥମିବାର ନାଁ ନେଉନାହିଁ । ଏବେବି କୃଷକମାନେ ଆନ୍ଦୋଳନ କରୁଛନ୍ତି ।ଶନିବାର ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବେ । ଏହାକୁ କୃଷକମାନେ ସଦଭାବନା ଦିବସ ଭାବେ ପାଳନ କରିବେ ।
କିଷାନ ଏକତା ମୋର୍ଚ୍ଚାର ନେତାମାନେ ଦେଶବାସୀଙ୍କୁ କହିଛନ୍ତି ଯେ, ଜନତା ସେମାନଙ୍କର ଅନଶନରେ ସାମିଲ ହୁଅନ୍ତୁ । ଆନ୍ଦୋଳନକୁ ସମର୍ଥନ କରନ୍ତୁ । ୩୦ ଜାନୁଆରୀକୁ ସଦଭାବନା ଦିବସ ଭାବେ ପାଳନ କରାଯିବ । ସମସ୍ତ ନେତା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଉପବାସ ରହିବେ ।
ସୂଚନାଯୋଗ୍ୟ, ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ କୃଷକମାନେ ହିଂସାକାଣ୍ଡ ଘଟାଇଥିଲେ । ଏହାପରେ କୃଷକ ଆନ୍ଦୋଳନ ଦୁର୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଅନେକ ସଙ୍ଗଠନ ଆନ୍ଦୋଳନରୁ ଓହରିଯାଇଥିଲେ । କିନ୍ତୁ ରାକେଶ ଟିକୈତଙ୍କ ଭାଷଣ ପରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।
ଏହାମଧ୍ୟରେ ଶୁକ୍ରବାର ମୁଜାଫରନଗରରେ କୃଷକମାନେ ମହାପଞ୍ଚୟତ ଆୟୋଜନ କରିଥିଲେ । ଏଥିରେ ମୁଜାଫରନଗର ଓ ପଶ୍ଚିମ ୟୁପିର ଅନ୍ୟ ଜିଲ୍ଲାରେ ଶନିବାର ଦିଲ୍ଲୀ ଆଡେ ରାଲି ବାହାରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମହାପଞ୍ଚାୟତରେ ଆରଏଲଡି ନେତା ଜୟନ୍ତ ଚୌଧରୀ ଓ ଆପ୍ ନେତା ସଞ୍ଜୟ ସିଂ ଉପସ୍ଥିତ ଥିଲେ ।