ବାଂଲାଦେଶର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪୦ ଜଣଙ୍କ ମୃତ୍ୟୁ
ଢାକା, (ଓଡିଶା ଟାଇମ୍): ବାଂଲାଦେଶ ଏକ କାରଖାନାରେ ଶୁକ୍ରବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଶ୍ରମିକ ଜୀବନ ବିକଳରେ ଉପର ମହଲରୁ ତଳକୁ ଡେଇଁ ପଡ଼ିଥିଲେ। ଏବେ ବି ଅନେକ ଲୋକ ନିଖୋଜ ଥିବା କୁହାଯାଇଛି।
ତେବେ କାରଖାନା ଭିତରେ କେତେ ଜଣ ଫସି ରହିଛନ୍ତି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବାହାରେ ଶ୍ରମିକ ଓ ତାଙ୍କ ସମ୍ପର୍କୀୟ କହିଛନ୍ତି ଯେ କାରଖାନା ଭିତରେ ଫସି ରହିଥିବା ଲୋକଙ୍କ ବଞ୍ଚିବା ମୁସ୍କିଲ। ଅଗ୍ନିଶମ ବିଭାଗ ପ୍ରବକ୍ତା ଦେବାଶିଷ ବର୍ଦ୍ଧନ କହିଛନ୍ତି ଯେ, ନିଆଁକୁ ଆୟତ୍ତ କରିବା ପରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ କରିବେ। ଏହାପରେ ଆଉ କେତେଜଣ ଆହତ ହୋଇଛନ୍ତି ଏବଂ କେତେଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କହିପାରିବେ।
ଅଗ୍ନିକାଣ୍ଡରୁ ବଞ୍ଚିଯାଇଥିବା କାରଖାନା କର୍ମଚାରୀ ମହମ୍ମଦ ସୈଫୁଲ କହିଛନ୍ତି ଯେ ନିଆଁ ଲାଗୀବାବେଳେ ଭିତରେ ଅନେକ ଲୋକ ଥିଲେ। ଆଉ ଜଣେ କର୍ମଚାରୀ କହିଛନ୍ତି ଯେ ଭୂତଳରେ ନିଆଁ ଲାଗିବାରୁ ଏବଂ କାରଖାନାରେ କଳା ଧୂଆଁ କାରଣରୁ ସେ ଏବଂ ଆଉ ୧୩ ଜଣ କର୍ମଚାରୀ ଛାତକୁ ଚାଲି ଯାଇଥିଲେ। ତୃତୀୟ ମହଲାରେ ଦୁଇଟି ପାହାଚର ଗେଟ ବନ୍ଦ ଥିଲା। ଆଉ ଜଣେ କହିଛନ୍ତି ଯେ କାରଖାନା ଭିତରେ ୪୮ ଜଣ ଥିଲେ। ଅଗ୍ନିଶମ କର୍ମଚାରୀ ରାଶି ସାହାଯ୍ୟରେ ଅନେକ ଲୋକଙ୍କୁ ତଳକୁ ଓହ୍ଲାଇଛନ୍ତି। କାରଖାନା ବାହାରେ କର୍ମଚାରୀଙ୍କ ସମ୍ପର୍କୀୟ ଭିଡ ଜମାଇଛନ୍ତି।