ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ଲକ୍ଡାଉନ୍ ନିୟମ କୋହଳ କଲେ ସରକାର
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): କରୋନା ସତର୍କତା ନେଇ ମେ ୩୧ଯାଏଁ ଲକ୍ଡାଉନ୍ କରିଛନ୍ତି । ସେହିପରି ପିଲାଙ୍କର କିଛି ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି କେନ୍ଦ୍ର ସରକାର ପରୀକ୍ଷାକୁ ଲକଡାଉନରୁ ବାଦ ଦେଇଛନ୍ତି। ସ୍ଥଗିତ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କରିବାକୁ ଆଜି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି।
ଚିଠିରେ ଲେଖାଯାଇଛି ଯେ ପରୀକ୍ଷା ଆବଶ୍ୟକତା ପୂରଣ ପାଇଁ ସମସ୍ତ ପ୍ରକାରର ଲକଡାଉନ୍ କଟକଣା ହଟାଇ ଦିଆଯାଇଛି। ତେଣୁ ରାଜ୍ୟଗୁଡ଼ିକ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରିବାକୁ ପ୍ରକ୍ରିୟା ଆରମ୍ଭ କରନ୍ତୁ। ରାଜ୍ୟ ବୋର୍ଡ଼, ସିବିଏସଇ, ଆଇସିଏସଇର ବାର୍ଷିକ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବାକୁ ବାଧ୍ୟ। ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ସହ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍ କରାଯିବ। ଘରୁ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଚିଠିରେ କୁହାଯାଇଛି। ତେବେ କରୋନା ପାଇଁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଜୋନରେ କୌଣସି ପରୀକ୍ଷା କେନ୍ଦ୍ର ହେବନାହିଁ।