ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା

ପାଟଣା, (ଓଡିଶା ଟାଇମ୍): ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା । ସେ ୮୩ ବର୍ଷ ବୟସରେ  ପାଟଣା ବ୍ଲକ ଚାକୁଣ୍ଡାପାଳ ସ୍ଥିତ ବାସଭବନରେ ଶନିବାର ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ ।ଶନିବାର ସକାଳୁ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ପାଟଣା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ମୁଣ୍ଡାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ୧୯୩୮ ମସିହା ଜୁଲାଇ ୮ ତାରିଖରେ ସାହାରପଡା ବ୍ଲକ ମଙ୍ଗଳପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ବାପା ମାଙ୍ଗୋତା ମୁଣ୍ଡା ଓ ମା ସୁମିତ୍ରାଙ୍କର ସେ ଥିଲେ ବଡପୁଅ । ଗୋବିନ୍ଦ ମୁଣ୍ଡାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ, ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେ ୧୯୬୭ ମହିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ । ଡକ୍ଟର ହରେକୃଷ୍ଣ ମହତାବ, ବିନାୟକ ଆଚାର୍ଯ୍ୟ, ଗିରିଧର ଗମାଙ୍ଗୋ, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଆଦି ତାଙ୍କ ସମୟରେ ବିଧାୟକ ଥିଲେ । ସେତେବେଳେ ସେ ସାଇକେଲରେ ଗାଁକୁ ଗାଁ ବୁଲି ନିସ୍ବାର୍ଥପର ଭାବେ ଲୋକମାନଙ୍କର ସେବା କରୁଥିଲେ । ଜଣେ ଦୁର୍ନୀତିମୁକ୍ତ ବିଧାୟକ ଭାବେ ତାଙ୍କର ପ୍ରସିଦ୍ଧି ରହିଥିଲା ।

Leave a Reply

Your email address will not be published. Required fields are marked *