ବୁଧବାର ମାଲଗୋଦାମକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି, ସିଏମସି ପକ୍ଷରୁ ସୂଚନା
କଟକ , (ଓଡିଶା ଟାଇମ୍) : ଏଣିକି ପ୍ରତ୍ୟେକ ବୁଧବାର କଟକ ମାଲଗୋଦାମ ବନ୍ଦ ରହିବ । ମାଲଗୋଦାମ ନିକଟରେ ଥିବା ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକ ମହାନଗର ନିଗମ ( CMC ) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବାକୁ CMC ନିଷ୍ପତ୍ତି ନେଇଛି । ଅଣ – ଅତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ ୭ରୁ ୧୦ଟା ଯାଏ ଖୋଲିବ । କିନ୍ତୁ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲ୍ସେଲର୍ ସକାଳ ୧୦ରୁ ୨ଟା ଯାଏ ଖୋଲିବ ।
ତେବେ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା ଦୋକାନ ଗୁଡିକ ଦିନ ୨ଟାରୁ ରାତି ୮ଟା ଯାଏ ଖୋଲା ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ମାଲଗୋଦାମ ପ୍ରତି ବୁଧବାର ବନ୍ଦ ରହିବ ବୋଲି CMC ପକ୍ଷରୁ କୁହାଯାଇଛି । କଟକ ଚାମ୍ବର ଅଫ କମର୍ସର ଚିଠି ଆଧାରରେ CMC ଏଭଳି ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ, ବୁଧବାର କଟକରୁ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୪୩ଜଣଙ୍କ ମଧ୍ୟରୁ କଟକ ମାଲଗୋଦାମ୍ କଣ୍ଟେନମେଣ୍ଟ ଜୋନ୍ରୁ ୬୨ଜଣ ପୁରୁଷ ଓ ୫୦ଜଣ ମହିଳାଙ୍କ ଆଜି କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି।
ସେହିପରି ଇନ୍ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରେ ୩ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି। ଏଥିସହିତ ଘରେ ସଙ୍ଗରୋଧରେ ଥିବା ୧୨ଜଣଙ୍କ କରୋନା ରିପୋର୍ଟ ପଜିଟଭ୍ ଆସିଛି। ଏହି ୧୨ ଜଣଙ୍କ ମଧ୍ୟରୁ ସିଡିଏ ସେକ୍ଟର-୧୧ରୁ ଜଣେ ପୁରୁଷ, ବକ୍ସି ବଜାରରୁ ଦୁଇଜଣ ପୁରୁଷ ଜଣେ ମହିଳା, ମଙ୍ଗଳାବାଗ ଅଞ୍ଚଳରୁ ୨ଜଣ ପୁରୁଷ ଓ ଜଣେ ମହିଳା, ଷଣ୍ଢପୁର ଅଞ୍ଚଳରୁ ଦୁଇଜଣ ପୁରୁଷ ଜଣେ ମହିଳା, ସିଦ୍ଧେଶ୍ୱର ସାହି ଅଞ୍ଚଳରୁ ଜଣେ ମହିଳା ଓ ଜଣେ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି।