ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକ ସ୍ଥିତ କନିକା ଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧ ଅର୍ଜନ କରିଥିଲେ । ଏଥିସହ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସଫଳ ନ୍ୟୁରୋସର୍ଜନ ଭାବେ ତାଙ୍କର ଖ୍ୟାତି ଥିଲା । ଦିବଂଗତ ଡା.ରଥଙ୍କର ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ଯଥେଷ୍ଟ ଖ୍ୟାତି ରହିଛି। ତାଙ୍କର ପରଲୋକରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ବାତାବରଣ ଦେଖିବାକୁ ମିଳିଛି।
ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।ତାଙ୍କର ପରଲୋକ ଖବର ପାଇ ପ୍ରମୁଖ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ନ୍ୟୁରୋ ସ୍ପେଶାଲିଷ୍ଟ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଜଣାଶୁଣା ଥିଲେ ଡାକ୍ତର ସନାତନ। ବହୁ ବିରଳ ଅପରେସନ କରିବା ସହ ସେଥିରେ ତାଙ୍କୁ ସଫଳତା ମଧ୍ୟ ମିଳିଥିଲା।
ଡାକ୍ତର ସନାତନ ରଥ୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରି ହାସଲ କରିଥିଲେ। ୧୯୬୨ରେ ପାଟ୍ନା ବିଶ୍ବବିଦ୍ୟାଳୟର ସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏହାପରେ ୧୯୬୫ରେ ସେ ଭେଲୋର୍ ମେଡିକାଲ୍ କଲେଜ୍ରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର କରିଥିଲେ। ୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ସେ ସହକାରୀ ପ୍ରଫେସର୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।