ବର୍ଷିୟାନ ସାମ୍ବାଦିକ ତଥା ଲେଖିକା ଓ ବାଗ୍ମୀ ମନୋରମା ମହାପାତ୍ରଙ୍କ ପରଲୋକ

କଟକ, (ଓଡିଶା ଟାଇମ୍): ବର୍ଷିଆନ ସାମ୍ବାଦିକ, ଲେଖିକା, ସ୍ତମ୍ବକାର, ଅସାଧାରଣ ବକ୍ତା, ସମ୍ପାଦିକା ତଥା ସାମାଜିକ କର୍ମୀ ମନୋରମା ମହାପାତ୍ର ଆଉନାହାନ୍ତି। ୮୭ ବର୍ଷ ବୟଷ୍କା ମହାପାତ୍ର ଶନିବାର ସନ୍ଧ୍ୟାରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ମନୋରମା ଅସୁସ୍ତତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଏସସିବି ମେଡିକାଲ କଲେଜକୁ ନେଇଥିଲେ। ସେଠାରେ ତାଙ୍କର ପରଲୋକ ହୋଇଛି।

ପ୍ରାକ୍‌ ସ୍ୱାଧୀନତା କାଳରେ୧୦ ଜୁନ ୧୯୩୪ ମସିହାରେ ମନୋରମାଙ୍କ ଜନ୍ମ କଟକ ଜିଲ୍ଲା ଆଠଗଡ଼ ରାଧାନାଥପୁର ଶାସନରେ ହୋଇଥିଲା। ପିତା ଡ. ରାଧାନାଥ ରଥ ଓ ମା ସାବିତ୍ରୀ ଦେବୀଙ୍କର ସେ ଥିଲେ ଚତୁର୍ଥ ସନ୍ତାନ। ସ୍ୱର୍ଗତ ପଦାରବିନ୍ଦ ମହାପାତ୍ରଙ୍କର ଧର୍ମପତ୍ନୀ ଥିଲେ ମନୋରମା। ପିତା ସ୍ୱାଧୀନତା ସଂଗ୍ରାମୀ ଥିଲେ। ଏଣୁ ମନୋରମାଙ୍କ ବାଲ୍ୟଜୀବନ ଉପରେ ସ୍ୱାଧୀନତା ସଂଗ୍ରାମର ପ୍ରଭାବ ପଡିଥିଲା। ସ୍ୱାଧୀନୋତ୍ତର ଓଡିଶାରେ ଡ. ରାଧାନାଥ ରଥ ଦୈନିକ ସମ୍ବାଦପତ୍ର ‘ସମାଜ’ର ସମ୍ପାଦକ ଥିଲେ। ଏଣୁ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରକୁ ମନୋରମାଙ୍କ ପ୍ରବେଶ ଏକ ପ୍ରକାର ସ୍ୱଭାବିକ ଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ସହ ମନୋରମା ୧୯୭୦ ମସିହାରେ ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ। କର୍ମମୟ ଜୀବନ ପ୍ରଶିଦ୍ଧ ରେଭେନ୍ସା ମହାବିଦ୍ୟାଳୟର ଅର୍ଥ ଶାସ୍ତ୍ର ବିଭାଗରେ ଆରମ୍ଭ କରିଥିଲେ। ତେବେ ୧୯୮୫ ମସିହାରେ ସରକାରୀ ଚାକିରୀରୁ ଅବସର ନେଇ ନିଜକୁ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ନିୟୋଜିତ କରିଥିଲେ।

୧୯୮୮ ମସିହାରେ ପିତାଙ୍କ ବିୟୋଗ ହୋଇଥିଲା। ପିତାଙ୍କ ଉତ୍ତରାଧିକାରରେ ମନୋରମାଙ୍କୁ ‘ସମାଜ’ର ସମ୍ପାଦନା ଦାୟିତ୍ୱ ମିଳିଥିଲା। ସେ ସମୟରେ ଦୈନିକ ସମାଜ ରାଜ୍ୟର ପ୍ରତିଷ୍ଠିତ ସମ୍ବାଦପତ୍ର ମଧ୍ୟରେ ଅନ୍ୟତମ ଥିବା ବେଳେ ଦେଶରେ ମଧ୍ୟ  ଖବରକାଗଜର ବେଶ ପ୍ରତିଷ୍ଠା ମଧ୍ୟ ଥିଲା। ତେବେ ସମାଜର ସମ୍ପାଦିକା ହେବାର ଅନେକ ପୂର୍ବରୁ ମନୋରମା ସ୍ତମ୍ବକାର ଭାବେ ନିଜକୁ ପ୍ରତିଷ୍ଠିତ କରାଇସାରିଥିଲେ। ନିୟମିତ ସ୍ତମ୍ବ ‘ଝିଟିପିଟି କହେ’ ତତ୍କାଳୀନ ରାଜ୍ୟର ସମସାମୟିକ ପ୍ରସଙ୍ଗକୁ ବିଶ୍ଲେଷଣାତ୍ମକ ଉପସ୍ଥାପନ କରିବାରେ ସେ ପାଠକଙ୍କ ବେଶ ପ୍ରିୟପାତ୍ର ହୋଇପାରିଥିଲେ। ଜଣେ ଲେଖିକା ଓ ସମ୍ପାଦିକା ଭାବେ ବ୍ୟସ୍ତତମ ଦିନ ଚର୍ଯ୍ୟାରେ ବି ମନୋରମା ନିଜକୁ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ କରାଇପାରିଥିଲେ। ଶିକ୍ଷା ଓ ସହାୟତା ପ୍ରଦାନ କ୍ଷେତ୍ରରେ ‘ଲୋକସେବକ ଯୁବ ମଣ୍ଡଳ’ର ସେ ସଂସ୍ଥାପିକା ଥିଲେ। ଏହା ଛଡା ସେ ରମାଦେବୀ ଟ୍ରଷ୍ଟ, କସ୍ତୁରବା ଟ୍ରଷ୍ଟ, ଦୟା ଆଶ୍ରମ, ସହାୟ ଏବଂ  ଓଡି଼ଶା ନାରୀ ସେବା ସଂଘର ମଧ୍ୟ ସଂସ୍ଥାପକ ସଦସ୍ୟା ଥିଲେ।

ସେ ରେଡକ୍ରସ ସୋସାଇଟି, ସ୍କାଉଟ ଏଣ୍ଡ ଗାଇଡ ସୋସାଇଟି, ସୋସିଆଲ ସର୍ଭିସ ଗିଲ୍ଡ ଅଫ ଓଡ଼ିଶା, ଲୋକ ସେବକ ମଣ୍ଡଳ ସମେତ ଅନେକ ସଙ୍ଗଠନର ସଭାପତି, ଉପସଭାପତି ଓ ସଦସ୍ୟା ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କ କାର୍ଯ୍ୟକୁ କେବଳ ରାଜ୍ୟରେ ନୁହେଁ ରାଜ୍ୟ ଓ ଦେଶ ବାହାରେ ମଧ୍ୟ ଢେର ସ୍ୱୀକୃତି ମିଳିଛି। ବୟସାଧିକ୍ୟ ଓ ଖରାପ ସ୍ୱାସ୍ଥ୍ୟ ସତ୍ତ୍ୱେ ସେ କେବେ ତାଙ୍କର ସାମାଜିକ ଉତ୍ତରଦାୟିତ୍ୱକୁ ଅବହେଳା କରିନଥିଲେ। ଜୀବନବ୍ୟାପୀ ନିରଳଶ ସାହିତ୍ୟ ଓ ସମାଜ ସେବା କରିଚାଲିଥିଲେ।

ମନୋରମା ୪୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି, ଯାହା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦିତ ହୋଇ ଆଦୃତ ହୋଇଥିବା ବେଳେ ତାଙ୍କର କୃତିକୁ ସ୍ୱୀକୃତି ମଧ୍ୟ ଦେଇଛି। ସେ ଗଦ୍ୟ ଓ କବିତା ଉଭୟରେ ଧୁରିଣ ଥିଲେ। ଯେଉଁଥିରେ ତତ୍କାଳୀନ ସାମାଜିକ ଛବି ପ୍ରତିଫଳିତ ହେଉଥିଲା। ଯେଉଁଥିଲାଗି ମନୋରମା ଅନେକ ସମ୍ମାନ ଓ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି।

ମହିଳା ସଶକ୍ତି କରଣ ଉଦ୍ଦେଶ୍ୟରେ ତାଙ୍କର ପ୍ରଥମ ପୁସ୍ତକ ‘ଜୁଆର ଯେଉଁଠି ଉଠେ’ ୧୯୬୦ ମସିହାରେ ପ୍ରକାଶିତ ହୋଇଥିଲା। ଏହା ପରେ  କାହାଣୀ ପୁସ୍ତକ ‘ବନ୍ଦ ଘରର କବାଟ’, ‘ଅର୍ଦ୍ଧନାରେଶ୍ୱର’, ‘ବୈଦେହୀ ବିସର୍ଜିତା’, ‘ସଂଘତିର ସଂହିତା’, ‘ଶକ୍ତି ରୂପେଣ ସଂସ୍ଥିତା’, ‘ରୂପମ ରୂପମ ପ୍ରତିରୂପମ’, ‘ସମୟ ପୁରୁଷ’, ‘ସ୍ମୃତି ନୈମିଷ୍ୟାରଣ୍ୟ’, ସେହିପରି  ବେଙ୍ଗଲୀ ଭାଷାରେ ‘ଆରୂପ ଆଲୋ’, ‘ୟେ ପୃଥିବୀ ସରସଜ୍ଜା’, ‘ଉତ୍ତର ନିରୁତ୍ତର’ ଆଦି ପୁସ୍ତକ ଉତ୍ତର ପିଢୀକୁ ବେଶ  ପ୍ରଭାବିତ କରିଛି।

Leave a Reply

Your email address will not be published. Required fields are marked *