୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପରୁ ମୋଦିଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ଇସିଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ନିର୍ବାଚନ କମିଶନ (ଇସି) ବିଧାନସଭା ନିର୍ବାଚନ ଘୋଷିତ ୫ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ବିଜ୍ଞାପନ ଫଳକ ହଟାଇବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପେଟ୍ରୋଲ ପମ୍ପମାନଙ୍କରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋର୍ଡିଂ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଏଥିଲାଗି ଇସି ୭୨ ଘଣ୍ଟା ସମୟ ଦେଇଛନ୍ତି।
ସେହିପରି ନିର୍ବାଚନ ଘୋଷିତ ରାଜ୍ୟମାନଙ୍କର ସୁରକ୍ଷା ଲାଗି ମଧ୍ୟ ଇସି ପ୍ରାଥମିକତା ଦେଇଛନ୍ତି। ଏଣୁ ନିର୍ବାଚନ ଘୋଷିତ ରାଜ୍ୟର ନିର୍ବାଚନ ଅଧିକାରୀ ରାଜ୍ୟ ପୋଲିସ ନୋଡାଲ ଅଫିସର ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ସମନ୍ୱୟ ରକ୍ଷା କରି ନିର୍ବାଚନ ସୁରକ୍ଷା ଯୋଜନା କରିବେ ବୋଲି ଇସି କହିଛନ୍ତି। କମିଟିଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟ ଓ ତଥା କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ମୁତୟନ ହେବ।
କେନ୍ଦ୍ର ନିର୍ବାଚନ ଆୟୋଗ ଗତ ଫେବୃଆରୀ ୨୬ ତାରିଖରେ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟ ସମେତ ମୋଟ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ଏଥିରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଥିଲା। ସେହି ଦିନଠାରୁ ନିର୍ବାଚନ ଘୋଷିତ ରାଜ୍ୟରେ ଆଦର୍ଶ ଆଚରଣ ସଂହିତା ମଧ୍ୟ ଲାଗୁ କରିଥିଲେ ଇସି।