ଭୂକମ୍ପରେ ଥରିଲା ଉତ୍ତର-ପୂର୍ବାଞ୍ଚଳ, ମିଜୋରାମରେ ୫.୧ ତୀବ୍ରତାର ଝଟକା ଅନୁଭୂତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ମିଜୋରାମରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଭୂକମ୍ପ ସନ୍ଧ୍ୟା ୪ଟା ୧୬ରେ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ମିଜୋରାମର ରାଜଧାନୀ ଆଇଜଲରୁ ୧୫ କିଲୋମିଟର ଉତ୍ତର-ପୂର୍ବରେ ରହିଛି।

ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ନିଜ ନିଜର ଘରୁ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲେ। କରୋନା ସମୟରେ ଭୂକମ୍ପ ଝଟକା ଲୋକଙ୍କୁ ଆହୁରି ଭୟଭୀତ କରିଛି। କିନ୍ତୁ ଭୂକମ୍ପରେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ଆସିନାହିଁ। ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ କ୍ରମାଗତ ଦୁଇ ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଠାରେ ଅନୁଭୂତ ଭୂକମ୍ପର ତୀବ୍ରତା ୫.୮ ଥିଲା। ଭୂକମ୍ପର କେନ୍ଦ୍ର ତାଜାକିସ୍ତାନର ଦସହାମ୍ବେରୁ ୩୪୧ କିଲୋମିଟର ଦୂରରେ ଥିଲା। ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀ-ଏନସିଆର, ଗୁଜରାଟ ସମେତ ଦେଶର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇ ସାରିଛି।

ଜୁନ ୧୫ରେ ଗୁଜରାଟରେ କ୍ରମାଗତ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଜୁନ ୧୪ରେ କଚ୍ଛରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ଜୁନ ୧୫ରେ ରାଜ୍ୟର କିଛି ଇଲାକାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରହିଥିଲା।

Leave a Reply

Your email address will not be published.