କୋଭିଡ୍ ନିୟମ ପାଳନ କରି ଦୁର୍ଗାପୂଜା ଆୟୋଜନକୁ ଅନୁମତି ଦେଲେ ହାଇକୋର୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆଡମ୍ବରଶୁନ୍ୟ ଭାବରେ ପାଳନ ହେବ ଦୁର୍ଗାପୂଜା। ଏହି ବର୍ଷ ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଗତ ୨୪ ତାରିଖ ଦିନ ବାଲୁ ବଜାର ପୂଜା କମିଟି ପକ୍ଷରୁ ଆବେଦନରେ ଦର୍ଶାଯାଇଥିଲା କି ଦୀର୍ଘ ୫୦୦ବର୍ଷରୁ ଅଧିକ ସମୟ ଧରି ବାଲୁବଜାରରେ ଦୁର୍ଗାପୂଜା ପରମ୍ପରା ବଜାୟ ରଖି ପୂଜା ଆୟୋଜନ କରାଯାଉଛି। ଅତୀତରେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବା ବେଳେ ଏହି ପରମ୍ପରା କେବେ ଭାଙ୍ଗି ନାହିଁ ତେଣୁ ଚଳିତ ବର୍ଷ କୋଭିଡ-୧୯ କଟକଣା ମଧ୍ୟରେ ବାଲୁବଜାର ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ। ସେମାବାର ଏହି ଆବେଦନର ଶୁଣାଣି କରି ହାଇକୋର୍ଟ କୋଭିଡ୍ ଗାଇଡଲାଇନ୍ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରି ଭିଡ ନଜମାଇ ଓ ମାସ୍କ ପିନ୍ଧି ପୂଜା ପାଳନ କରାଯାଇପାରେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ଗାପୂଜାକୁ ଆଉ ଦୁଇ ମାସରୁ କମ୍ ସମୟ ଅଛି। ଏଭଳି ସ୍ଥିତିରେ ଦୁର୍ଗାପୂଜା ଆୟୋଜନ ସଂପର୍କିତ ପ୍ରଥମ ପରମ୍ପରା ମାଟି ଅନୁକୂଳ ପାଇଁ କଟକ ଡିସିପି ଅନୁମତି ଦେବା ପରେ ସୀମିତ ଚାରି ଜଣ ଲୋକଙ୍କୁ ନେଇ ଓ ବିନା ଶୋଭାଯାତ୍ରାରେ ମାଟି ଅନୁକୂଳ କାର୍ଯ୍ୟ ସଂପାଦନ ହୋଇଥିଲା । ରାଧାଷ୍ଟମୀ ଠାରୁ ମାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରମ୍ପରା ନିୟମ ରହିଛି । ଅନ୍ୟପକ୍ଷରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଯୋଗୁଁ ସବୁ ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ଖୋଲିବା ଉପରେ କଟକଣା ଜାରି କରିଛନ୍ତି।