ପୁଣି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଟ୍ରମ୍ପ

ୱାଶିଂଟନ୍‌, (ଓଡିଶା ଟାଇମ୍‌): ଆମେରିକାରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଛି ନିର୍ବାଚନ । ଯାହାକୁ ସେଠାକାର ରାଜନୀତି ସରଗରମ ହୋଇଉଠିଛି । ଏଭଳି ସମୟରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପୁନର୍ବାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଘୋଷଣା କରାଯାଇଛି ।

ରିପବ୍ଲିକାନ୍ କନବେସନରେ ରାଷ୍ଟ୍ରପତି ପଦ ଲାଗି ଡୋନାଲ୍ଡ ଟ୍ରମ୍ପ ଏବଂ ଉପ ରାଷ୍ଟ୍ରପତି ପଦ ପାଇଁ ମାଇକ୍ ପେନ୍ସଙ୍କୁ ପ୍ରାର୍ଥୀ କରା ଯାଇଛି ।

ସେହିପରି ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପଦ ଲାଗି ଜୋ ବିଡେନ୍ ଏବଂ ଉପ ରାଷ୍ଟ୍ରପତି ପଦ ପାଇଁ କମଳା ହେରିସ୍ ଙ୍କୁ ପ୍ରାର୍ଥୀ ଭାବେ ଚୟନ କରା ଯାଇଛି । ଆମେରିକାରେ ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସୁତ୍ରରୁ ପ୍ରକାଶ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରିପବ୍ଲିକାନ୍ ପାର୍ଟି ପକ୍ଷରୁ ସୋମବାର ଦିନ ଏକ ଭର୍ଚୁଆଲ୍ କନବେସନ୍ ଆୟୋଜିତ କରା ଯାଇଥିଲା । ସମସ୍ତ ୫୦ ରାଜ୍ୟର ନିର୍ବାଚିତ ରିପବ୍ଲିକାନ୍ ପାର୍ଟିର ପ୍ରତିନିଧି ମାନଙ୍କ ଭୋଟିଂ ପରେ ରାଷ୍ଟ୍ରପତି ପଦ ପାଇଁ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଚୟନ କରା ଯାଇଥିଲା ।

ଅପରପକ୍ଷେ ମାଇକ୍ ପେନ୍ସଙ୍କ ନାମକୁ ମଧ୍ୟ ପୁନର୍ବାର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ଥିଲା ।

ଏହା ପୂର୍ବରୁ ଆମେରିକାରେ ଥିବା ପ୍ରାୟ ୨୦ ଲକ୍ଷରୁ ଅଧିକ ଭାରତୀୟ-ଆମେରିକୀୟ ଭୋର୍ଟସଙ୍କୁ ଆକୃଷ୍ଟ କରାଇବା ଲାଗି ଟ୍ରମ୍ପଙ୍କ ପକ୍ଷରୁ ଜାରି ନିର୍ବାଚନୀ ପ୍ରଚାର ଭିଡିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଓ ଟ୍ରମ୍ପଙ୍କ ଅହମ୍ମଦାବାଦର ଐତିହାସିକ ସମ୍ବୋଧନର କ୍ଲିପ୍ ରହିଥିବା ନଜର ଆସିଥିଲା ।

ଚଳିତ ବର୍ଷ ଫେବୃଆରୀ ମାସରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସପରିବାର ଭାରତ ଗସ୍ତରେ ଆସି ଅହମ୍ମଦାବାଦରେ ଆୟୋଜିତ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ।

Leave a Reply

Your email address will not be published. Required fields are marked *