ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ : ଜୁନ୍ ମଧ୍ୟଭାଗରୁ ଉଡ଼ିବ ଆନ୍ତର୍ଜାତିକ ବିମାନ !
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏଥିଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ୨୦ ତାରିଖରେ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଲକଡାଉନ୍ ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି । ଏ ସଂପର୍କରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦରଗୁଡ଼ିକ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ବିମାନ ଯାତ୍ରୀଙ୍କ ପାଇଁ ବିଭିନ୍ନ ସର୍ତ୍ତାବଳୀ ଓ ନିୟମ ଲାଗୁ କରାଯାଇଛି । ବିମାନ ଓ ବିମାନବନ୍ଦରରେ ସାମାଜିକ ଦୂରତା ରକ୍ଷା କରାଯିବ । ଆରମ୍ଭ ହେବାକୁ ଥିବା ବିମାନ ଟିକେଟ ପାଇଁ ଅନଲାଇନରେ ବୁକିଂ କରିବାକୁ ହେବ । ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖି ସୁରୁଖୁରୁରେ ବିମାନ ଯାତ୍ରା କରିପାରିବେ, ସେଥିଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିଭଳି ଦେଶର ସବୁଠାରୁ ବ୍ୟସ୍ତବହୁଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର କେବଳ ଟର୍ମିନାଲ୍-୩ରୁ ବର୍ତ୍ତମାନ ବିମାନ ଚଳାଚଳ ଆରମ୍ଭ ହେବ । ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ ବିମାନ ଚଳାଚଳ ବାତିଲ କରାଯାଇଥିଲା ।
ଆସନ୍ତାକାଲିଠାରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାବେଳେ ଜୁନ୍ ମଧ୍ୟଭାଗ କିମ୍ବା ଜୁଲାଇ ସୁଦ୍ଧା ଭାରତରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ ହେବା ସମ୍ଭାବନା ରହିଛି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଘରୋଇ ବିମାନରେ ଯାତ୍ରା ପୂର୍ବରୁ ଆରୋଗ୍ୟ ସେତୁ ଆପ୍ରେ ଯାତ୍ରୀ ଯଦି ‘ସବୁଜ’ ସଂକେତ ପାଇଥିବେ ତେବେ ତାଙ୍କୁ ପହଞ୍ଚିବା ପରେ କ୍ବାରେଣ୍ଟାଇନ୍ରେ ରହିବାକୁ ପଡ଼ିବ ନାହିଁ ବୋଲି ପୁରୀ କହିଛନ୍ତି । ଆସାମ , କେରଳ ଓ କର୍ଣ୍ଣାଟକ ଭଳି ୬ ରାଜ୍ୟ ବିମାନରେ ଫେରିବାକୁ ଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍ରେ ରହିବାକୁ ପଡ଼ିବ ବୋଲି ଘୋଷଣା କରିଥିବାରୁ ମନ୍ତ୍ରୀ ଏଭଳି କହିଛନ୍ତି ।