ମେ ୨୫ ରୁ ଉଡ଼ିବ ଘରୋଇ ବିମାନ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦୀର୍ମେଘ ଦୁଇମାସର ବ୍ୟବଧାନ ପରେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହପୁରୀ ଏବାବଦରେ ଆଜି ସୂଚନା ଦେଇଛନ୍ତି। ଯଦିଓ ଲକ୍ଡାଉନ୍-୪ ନିୟମାବଳୀ ଅନୁସାରେ ସମସ୍ତ ବେସାମରିକ ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଉପରେ କଟକଣା ରହିଛି କିନ୍ତୁ ଅର୍ଥନୀତିକ ଧାରାକୁ ସ୍ଵଭାବିକ କରିବା ପାଇଁ ଗୋଟିଏ ପରେ ଗୋଟିଏ ସେବାକୁ ଆବଶ୍ୟକ କଟକଣା ସହ ଉନ୍ମୁକ୍ତ କରାଯାଉଛି। ଏହି ଧାରାରେ ଘରୋଇ ବିମାନ ସେବା ମଧ୍ୟ ସାମିଲ୍ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଉଡ଼ାଣ ସମୟରେ କୋଭିଡ୍ -୧୯ର ସମସ୍ତ ଗାଇଡ ଲାଇନ୍ ପାଳନ ହେବ। ଏନେଇ ଦେଶରେ ଘରୋଇ ବିମାନ ଉଡ଼ାଣ ନେଇ ସମସ୍ତ ବିମାନ ବନ୍ଦର ଏବଂ ବିମାନସେବା କମ୍ପାନୀ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିପାଇଁ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଖୁବ୍ଶୀଘ୍ର (ଏସ୍ଓପି) ଜାରି କରାଯିବ।
ମାର୍ଚ୍ଚ ୨୫ ତାରିଖରୁ ଦେଶରେ କରୋନା ଜନିତ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ସମସ୍ତ ବିମାନ ଉଡ଼ାଣ ମଧ୍ୟ ରଦ୍ଦ କରାଯାଇଥିଲା। ତେବେ ମେ ୨୫ ତାରିଖ ପରେ ଏହା ପୁଣି ଥରେ ଉଡ଼ାଣ କରିବାକୁ ଯାଉଛି। ସେହିପରି ଜୁନ ୧ରୁ ସାରା ଦେଶରେ ଟ୍ରେନ ଗଡ଼ିବ ବୋଲି ସୂଚନା ମିଳିଥିଲା । ଜୁନ୧ ରୁ ସାଧାରଣ ଲୋକଙ୍କ ପାଇଁ ୨୨ଟି ବିନା ଏସି ଟ୍ରେନ୍ ଚାଲିବ ବୋଲି ଜଣାପଡ଼ିଥିଲା।