ଆଜି ଦୋଳ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ, (ଓଡିଶା ଟାଇମ୍) :ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣିମା। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ।

ଆଜି ପବିତ୍ର ଦୋଳପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ। ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ସୌଭାଗ୍ୟ ପାଇବେ। ଏଥିସହ ପ୍ରଭୁଙ୍କ ସହ ଫଗୁ ଓ ଅବିର ମଧ୍ୟ ଖେଳିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତି, କାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ ଓ ରତ୍ନସିଂହାସନରେ ପୂଜା ପାଉଥିବା ଭୂଦେବୀ, ଶ୍ରୀଦେବୀ ବିମାନରେ ବିଜେ କରି ଶ୍ରୀମନ୍ଦିର ବେଢ଼ା ସାତଥର ପ୍ରଦିକ୍ଷଣ କରିବେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନି, ଫଗୁ, ଅବିର ଖେଳ ମଧ୍ୟରେ ବିମାନ ଦୋଳବେଦୀକୁ ବିଜେ କରି ଦୋଳବେଦୀ ତଳେ ଓ ଉପରେ ସାତଘେରା ଲେଖାଏଁ ପ୍ରଦୀକ୍ଷଣ କରିବା ପରେ ଦୋଳରେ ବସି ଝୁଲିବେ।

Leave a Reply

Your email address will not be published. Required fields are marked *