ଧାମନଗର ଉପନିର୍ବାଚନ: ରବିବାର ଫଳ ହେଲେ ଛାତିଏ ଛନକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ନିର୍ବାଚନ ସରିଛି ହେଲେ ଛନକା ଯାଇନି । ଖୋଦ୍‍ ବିଜେଡିର ଗଡ଼ପତି ତଥା ଅନୁଶୀଳନକାରୀମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମାନଙ୍କ ମନରେ ଆଶଙ୍କା ଯେ, ରବିବାର ଫଳାଫଳ ପାର୍ଟିକୁ ନିରାଶ କରିପାରେ! କାରଣ ବୁଥ ଫେରନ୍ତା ମତରେ ପାର୍ଟି ପାଇଁ କୁଆଡ଼େ ଆଶାନୁରୂପକ ସଫଳତା ମିଳିନାହିଁ । ଏଣୁ ଜିତିବା ବା ହାରିବା ଏକ ଖଣ୍ଡାଧାର ପରି ବିଭେଦ ହୋଇପାରେ ।

ଗୁରୁବାର ଧାମନଗର ଭୋଟଗ୍ରହଣରେ ଯଦିଓ ସେମିତି କିଛି ବଡ଼ଧରଣର ଅଘଟଣ ହୋଇନଥିଲା, କିନ୍ତୁ ଭୋଟରଙ୍କଭୋଟଦାନ ପାଇଁ ଆଗ୍ରହ ପୂର୍ବ ଉପ ନିର୍ବାଚନ ଗୁଡ଼ିକଭଳି ଦେଖାଯାଇନଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏଠାରେ ୬୬.୬୩% ଭୋଟଦାନ ହୋଇଥିଲା । ଅନ୍ୟପକ୍ଷରେ ଚଳିତବର୍ଷ ଶେଷ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନରେ ୭୧.୯% ମତଦାନ ହୋଇଥିବାବେଳେ ପିପିଲି ଉପ ନିର୍ବାଚନରେ ୭୮.୨୪% ମତଦାନ ହୋଇଥିଲା ।

ଭୋଟ୍‍ଦାନ କମିବାର କାରଣ ନିର୍ବାଚନ ଫଳଂଫଳ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ବିଜେଡିର ନିର୍ବାଚନ ପଣ୍ଡିତଙ୍କ ମତ ଅନୁସାରେ ଗଣତି ଶେଷ ଯାଏ ଉତ୍କଣ୍ଠା ଲାଗି ରହିବ । କାରଣ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ହେବ ତାହା ଘୋମାଘୋଟ ହେବ ଏବଂ ଗଣତି ଶେଷ ହେବା ଯାଏ କହିହେବନାହିଁ କିଏ ଜିତିବ ।

ବିଜେଡିର ଅସନ୍ତୁଷ୍ଟ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ପଲାରେ ପଡ଼ିଥିବା ଭୋଟ ଏହି ଦ୍ସ୍‍ନ୍ଦ୍ୱକୁ ଆହୁରି ଶାଣିତ କରିବ । ତାଙ୍କୁ ମିଳିଥିବା ଭୋଟ ପରିମାଣ ଯେତିକି ବଢ଼ିବ, ବିଜେଡି ଜିତିବା ଆଶଙ୍କା ସେତିକି ଉଜ୍ଜଳ ହୋଇପାରେ । ଏପରିକି ଯଦି ତାଙ୍କୁ ମିଳିଥିବା ଭୋଟ ପରିମାଣ୧୫ ହଜାର ଉପରକୁ ବି ଯାଏ ତେବେ ବିଜେଡି ଚିତ୍‍ପଟାଙ୍ଗ ମାରିବା ଥୟ ବୋଲି ଆଶଙ୍କା କରାଯାଇଛି । ଅର୍ଥାତ୍‍ ପ୍ରତିଦ୍ୱନ୍ଦ୍ୱିତାର ଶେଷରେ ଥିଲେ ମଧ୍ୟ ରାଜେନ୍ଦ୍ର ପୂର୍ବଥର ଭଳି ଏଥର ବି ଚର୍ଚ୍‍ଚାରେ ରହିବେ ।

ତେବେ କାହିଁକି ଏ ଆଶଙ୍କା ହେଲା? ପୂର୍ବରୁ ଯେଉଁ ଦୁଇଟି ନିର୍ବାଚନ ହୋଇଥିଲା ସେତେବେଳେ ତ ତାହା ହୋଇ ନଥିଲା । ବ୍ରଜରାଜ ନଗରରେ ତ ବିଜେପିକୁ ଭୋଟର ତୃତୀୟସ୍ଥାନକୁ ଠେଲି ଦେଇଥିଲେ । ଏଥର କାହିଁକି ଏ ଦ୍ୱନ୍ଦ୍ୱ?

ଏହି ପ୍ରଶ୍ନର ଉତ୍ତରରେ ଧାମ ନଗର ନିର୍ବାଚନ ରଣାଙ୍ଗନରେ ବିଜେପିର ପରିବର୍ତ୍ତିତ ରଣନୀତିକୁ ପ୍ରଶଂସା କରାଯାଉଛି । ବ୍ରଜରାଜ ନଗର ହେଉ କି ପିପିଲିରେ ବିଜେପି ଏତେ ଉତ୍ସାହିତ ହୋଇ ନଥିଲା । ସେଠାରେ ପ୍ରଚାର ବି ସଙ୍କୁଚିତ ଥିଲା । ହେଲେ ପାର୍ଟି ଧାମନଗରରେ ନିଜର ଅସ୍ତିତ୍ୱ ରକ୍ଷା ତଥା ଆଗକୁ ରାଜ୍ୟବାସୀଙ୍କ ମନରେ ବିଶ୍ୱାସ ଭରିବାକୁ ଉଦ୍ୟମ କରିଥିବା କୁହାଯାଉଛି । ଆଉ ମାତ୍ର ଦେଢ଼ ବର୍ଷ ଥିବାରୁ ଏହା ବିଜେପିର ସମ୍ମାନର ପ୍ରଶ୍ନ ଭାବେ ଦଳୀୟ ନେତୃତ୍ୱ ଗ୍ରହଣ କରିଥିଲେ । ଏଣୁ ଶେଷ ପର୍ଯ୍ୟାୟରେ ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ କଳ ଓ ବଳ ଲଗାଇଥିଲା । ବିଜେଡି ଭଳି ବିଜେପି ବି ଅର୍ଥ ଓ ଟେକ୍ନୋଲୋଜିକୁ ବ୍ୟବହାର କରିଥିବା କୁହାଯାଉଛି ।

ଯେଉଁଭଳି ଭାବେ ଦଳ ଏସ୍‍ଏଚ୍‍ଜି ଗୋଷ୍ଠୀଙ୍କ ନିୟୋଜନକୁ ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଲା ଏବଂ ବିଜେଡିକୁ ସମାଲୋଚନା କରିଥିଲା ତାହା ବି ତାଙ୍କୁ ସହାୟକ ହୋଇଥିବା କୁହାଯାଉଛି । ନିଜ ଭୋଟରଙ୍କୁ ଏକାଠି ରଖିବା ଲାଗି ଯେଉଁ ରଣ କୌଶଳ ଦଳ ପ୍ରୟୋଗ କରିଥିଲା ତାହା ବି ସହାୟକ ହୋଇଥିବା ଆଲୋଚନା କରାଯାଉଛି ।

ଅନ୍ୟପକ୍ଷରେ ବିଜେଡି ଅଧିକ ଉନ୍ମାଦିତ ରହିଥିଲା । ପୂର୍ବରୁ କଂଗ୍ରେସ ଭୋଟ୍‍କୁ ଭାଙ୍ଗି ନିଜ ଗଡ଼କୁ ମଜଭୁତ କରିଥିବା ବିଜେଡି ଏଥର ନିଜ ଗଡ଼ର ଅବକ୍ଷୟକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ଆଲୋଚନା ହେଉଛି । ପୂର୍ବତନ ଦଳୀୟ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ବିଜେଡି ଏଥର ସେଥିଲାଗି କିଛି ଭୋଟ୍‍ ହରାଇପାରେ । ରାଜେନ୍ଦ୍ରଙ୍କ ଲୋକପ୍ରିୟତା ଧାମନଗରରେ ଯଥେଷ୍ଟ ପରିଲକ୍ଷିତ ହୋଇ ଆସିଛି । ୨୦୦୯ ମସିହାରେ ସେ ବିଧାୟକ ଥିଲେ । ଅବଶ୍ୟ ୨୦୧୪ ମସିହାରେ ବିଜେଡି ତାଙ୍କୁ ଟିକେଟ୍‍ ନ ଦେଇ ନିର୍ବାଚନ ଲଢ଼ିଥିଲା ଆଉ ସେଥିରେ ସଫଳତା ପାଇଥିଲା । କିନ୍ତୁ ଯେଉଁ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଧାୟକ ଭାବେ ବିଜେଡି ବିଧାନସଭାକୁ ପଠାଇଥିଲା ସେ ଲୋକଙ୍କ ଆସ୍ଥା ଭାଜନ ହୋଇପାରି ନଥିଲେ । ଏଣୁ ୨୦୧୯ ମସିହାରେ ପୁଣିଥରେ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଅବଶ୍ୟ ସେ ପରାଜୟ ହୋଇଥିଲେ କିନ୍ତୁ ବ୍ୟବଧାନ ମାତ୍ର ୪୬୨୫ ଖଣ୍ଡ ଭୋଟ୍‍ ଥିଲା । ସେତେବେଳେ ବିଜୟୀ ହୋଇଥିବା ବିଷ୍ଣୁ ସେଠୀ ୮୦ ହଜାର ୧୧୧ ଭୋଟ୍‍ ପାଇଥିଲେ ।

ଅପରପକ୍ଷେ ବିଜେଡିର ପ୍ରଚାର ବେଳେ ଆଞ୍ଚଳିକବାଦ ବି ଏକ ନକରାତ୍ମକ କାରକ ହେଉଥିବା କୁହାଯାଉଛି । ଦାୟିତ୍ୱରେ ଥିବା ମୁଣ୍ଡିଆଳ ନେତାମାନେ ଯାଜପୁରର ଥିବାରୁ ଭଦ୍ରକ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ବି ପରିଲକ୍ଷିତ ହୋଇଥିଲା । ଏପରିକି ଅନେକ ସ୍ଥାନକୁ ସେମାନେ ଯିବା ବି କାଠିକର ପାଠ ହୋଇଥିଲା । ଏହି ପରିସ୍ଥିତି ଭୋଟରଙ୍କ ଆସ୍ଥାକୁ ବି କ୍ଷୁର୍ଣ୍‍ଣ କରିଥିଲା ।

ଏଣୁ ପରିସ୍ଥିତି ଜଟିଳ ହେବା ଆଶଙ୍କା କରାଯାଉଛି । ଏହି ଆଶଙ୍କା ଯଦି ସତ ହୁଏ ତେବେ ବିଜେଡିର ନିର୍ବାଚନ ଜିତିବାର ଅହଙ୍କାର ହନନ ହେବ ବୋଲି ଚର୍ଚ୍‍ଚା ହେଉଛି ।

Leave a Reply

Your email address will not be published.