ଆଜିଠୁ ମଦ ଶସ୍ତା, ପ୍ରତ୍ୟାହାର ହେଲା କରୋନା ଟ୍ୟାକ୍ସ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦିଲ୍ଲୀରେ ଆଜିଠୁ ଶସ୍ତା ହେଲା ମଦ । ଏହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିକଟରେ ମଦ ଉପରେ ୭୦ ପ୍ରତିଶତ କୋରୋନା ଟ୍ୟାକ୍ସ ଲଗାଇଥିଲେ ଦିଲ୍ଲୀ ସରକାର । ଏବେ ଏହା ପ୍ରତ୍ୟାହାର କରିନେଇଛନ୍ତି । ତେବେ ମଦ ଉପରେ ପୂର୍ବରୁ ୨୦ ପ୍ରତିଶତ ଭାଟ ଲାଗୁଥିବା ବେଳେ ଏବେ ଏହାକୁ ୨୫ ପ୍ରତିଶତ କରାଯାଇଛି । ଅର୍ଥାତ କୋରୋନା ଟ୍ୟାକ୍ସ ପ୍ରତ୍ୟାହାର ସହ ୫ ପ୍ରତିଶତ ଭାଟ ବୃଦ୍ଧି କରିଛନ୍ତି ଦିଲ୍ଲୀ ସରକାର । ଆଜିଠୁ ଏହା ଲାଗୁ ହେବ ।

ଦିଲ୍ଲୀରେ କୋରୋନା ସଂକ୍ରମଣ ମଧ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟରେ ମଦ ଦୋକାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ବଡ଼ ଚ୍ୟାଲେଞ୍ଚ ପାଲଟିଥିଲା । ୨ରୁ ୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ରହି ମଦ କିଣିବାକୁ ଅପେକ୍ଷା କରିରହୁଥିଲେ ଗ୍ରାହାକ । ତେବେ ସାମାଜିକ ଦୂରତ୍ୱ ଯେପରି ବଜାୟ ରହିବ, ସେନେଇ ୭୦ ପ୍ରତିଶତ କୋରୋନା ଟ୍ୟାକ୍ସ ଲଗାଇଥିଲେ କେଜ୍ରିୱାଲ ସରକାର ।

ତେବେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଦ ଉପରୁ କୋରୋନା ଟ୍ୟାକ୍ସ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ ୪ ମଇରୁ ୬ ଜୁନ ମଧ୍ୟରେ ଦିଲ୍ଲୀରେ ୩୦୪ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଏହା ଉପରେ ସରକାରଙ୍କୁ ୨୧୦ କୋଟି ଟଙ୍କାର କୋରୋନା ଟ୍ୟାକ୍ସ ମିଳିଛି ।

Leave a Reply

Your email address will not be published.