ଗମ୍ଭୀରଙ୍କୁ ହତ୍ୟା ଧମକ୍
ଓଡ଼ିଶାଟାଇମ୍ (ଭୁବନେଶ୍ୱର) : ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି । ତାଙ୍କ ପାଖକୁ ଇ-ମେଲ୍ ଜରିଆରେ ହତ୍ୟା ଧମକ ଆସିଛି। ଗୌତମଙ୍କ ସୁରକ୍ଷାରେ ଥିବା ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ବଞ୍ଚାଇ ପାରିବେନି ବୋଲି ଏହି ଇ-ମେଲରେ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି । ପୂର୍ବରୁ ମଧ୍ୟ ଗୌତମଙ୍କୁ ଦୁଇଥର ହତ୍ୟା ଧମକ ମିଳିସାରିଛି । ତେବେ ଗମ୍ଭୀରଙ୍କ ପାଖକୁ ହତ୍ୟା ଧମକ ଆସିଥିବା ଇ-ମେଲ ଆଇଡିଟି ହେଉଛି isiskashmir@yahoo.com । ଏଥିରୁ ସନ୍ଦେହ କରାଯାଉଛି ଯେ ଏହି ଧମକଟି ମଧ୍ୟ ISIS ଦେଇଛି । ଆସିଥିବା ମେଲରେ ଦିଲ୍ଲୀ ପୋଲିସ ଏବଂ ଆଇପିଏସ ଅଫିସର ଶ୍ୱେତା ମଧ୍ୟ କିଛି ବିଗାଡ଼ ପାରିବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ସେହିପରି ପୋଲିସରେ ଆମ ଗୁପ୍ତଚର ସାମିଲ ଅଛନ୍ତି, ଯାହାଙ୍କଠାରୁ ଆମେ ସବୁ ତଥ୍ୟ ହାସଲ କରୁଛୁ ବୋଲି ମଧ୍ୟ କୁହାଯାଇଛି ।
ଇ-ମେଲରେ ଯେଉଁ ଶ୍ୱେତାଙ୍କ ନାଁ ଉଲ୍ଲେଖ କରାଯାଇଛି, ସେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଅଞ୍ଚଳର ଡିସିପି ଅଛନ୍ତି। ନିକଟରେ ଏହାପୂର୍ବରୁ ମଧ୍ୟ ଗୌତମ ଗମ୍ଭୀରଙ୍କୁ ଦୁଇ ଥର ଇ-ମେଲ ଜରିଆରେ ହତ୍ୟା ଧମକ ମିଳିସାରିଛି। ଏହି ହତ୍ୟା ଧମକ ଆଇଏସଆଇଏସ୍ କଶ୍ମୀର ପଠାଇଥିଲା। ପରେ ଆଇପି ଆଡ୍ରେସ୍ରୁ ଏହା ପାକିସ୍ତାନ କରାଚିରୁ ଆସିଥିବା ଜଣାପଡିଥିଲା। ହତ୍ୟା ଧମକ ମିଳିବା ପରେ ଗୌତମ ଗମ୍ଭୀରଙ୍କ ଘରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା।