ଚାଷୀ ଆନ୍ଦୋଳନ ସ୍ଥଳରେ ଝୁଲନ୍ତା ମୃତଦେହ ଠାବ
ଭୁବନେଶ୍ୱର (ଓଡ଼ିଶା ଟାଇମ୍) : ରାଜଧାନୀ ଦିଲ୍ଲୀର ସିଙ୍ଘୁ ସୀମାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେବ ଠାବ । ବ୍ୟକ୍ତି ଜଣକର ହାତ କାଟି ଦିଆଯାଇଥିବା ବେଳେ ଚାଷୀମାନେ ଆନ୍ଦୋଳନ କରୁଥିବା ମୁଖ୍ୟ ଷ୍ଟେଜର କିଛି ଦୂରରେ ଥିବା ବ୍ୟାରିକେଡ୍ରେ ମୃତଦେହକୁ ଝୁଲାଇ ଦିଆଯାଇଥିଲା । ତେବେ ମୃତକ ବ୍ୟକ୍ତି ଜଣକର ବୟସ ୩୫ ବର୍ଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ମିଳିପାରିନି । ଏହାସହ ସେ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ ନା ନାହିଁ, ତାଙ୍କୁ ଚାଷୀ ଅନ୍ଦୋଳନ ସ୍ଥଳରେ ହତ୍ୟା କରାଯାଇଛି ନା ଆଉ କେଉଁଠି ହତ୍ୟା କରାଯାଇ ଆନ୍ଦୋଳନ ସ୍ଥଳକୁ ଅଣାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏହି ଘଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ହେଲେ କୃଷକମାନେ ପ୍ରଥମେ ପୋଲିସକୁ ଘଟଣାସ୍ଥଳକୁ ଛାଡ଼ି ନଥିଲେ। ପରେ କୁଣ୍ଡଲି ପୋଲିସ ଶବକୁ ଜବତ କରି ପାଖ ହସ୍ପିଟାଲକୁ ନେଇଥିଲା। ତେବେ ତାଙ୍କୁ ନିହାଙ୍ଗମାନେ ହତ୍ୟା କରିବା ସହ ଗୋଟିଏ ହାତ କାଟି ଦେଇଥିବା ଅଭିଯୋଗ ହୋଇଛି। ସିଙ୍ଘୁ ସୀମାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଶହଶହ ଚାଷୀ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ତେବେ ଏହି ହତ୍ୟା ଘଟଣାରୁ ମୋର୍ଚ୍ଚା ନିଜକୁ ଦୂରେଇ ରଖିବା ସହ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସଂଗଠନ ହରିଆଣା ସରକାରଙ୍କ ସହଯୋଗ କରିବ ବୋଲି କହିଛି ।
ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ବଲବୀର ସିଂହ କହିଛନ୍ତି “ଏହି ହତ୍ୟା ପଛରେ ନିହାଙ୍ଗମାନଙ୍କ ହାତ ରହିଛି । ସେମାନେ ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି। ନିହାଙ୍ଗମାନେ ଆମକୁ ଅସୁବିଧାରେ ପକାଇବାକୁ ଆରମ୍ଭରୁ ହିଁ ଚେଷ୍ଟା କରି ଚାଲିଛନ୍ତି। ଅନେକ ସମୟରେ ସେମାନେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଘଟାଇଛନ୍ତି। ”