ସାଂସ୍କୃତିକ ଚର୍ଚ୍ଚା ଆମର ଆତ୍ମ ବିଶ୍ବାସ ବୃଦ୍ଧିକରେ: ଦାଶ ବେନହୁର
ଭୁବନେଶ୍ବର, (ବ୍ୟୁରୋ): ସଂସ୍କୃତି କହିଲେ ରସ ରସିଆ କଥା , ମନ୍ଦିରର ଚିତ୍ର ବା ଆମେ ଯେଉଁ ଛବି ଆଙ୍କୁଛୁ ତାହା ନୁହେଁ, ଏହା ସମୂହ ବା ସମାଜର କଥା।, ସମୟର କଥା। ଏହା ଗୋଷ୍ଠୀ ବା ସମାଜର ଏକ କଲ୍ୟାଣକାରୀ ଉପାଦାନ ବୋଲି କହିଛନ୍ତି ସୁନାମଧନ୍ୟ ଲେଖକ ତଥା ଶିକ୍ଷାବିତ୍ ଦାଶ ବେନହୂର। ସଂସ୍କୃତିକୁ ଏକ ପ୍ରବାହ ବୋଲି କହିବା ସହ ସେ କହିଛନ୍ତି, ଏଥିଲାଗି ଆମ ସମସ୍ତଙ୍କ ମନରେ ଆତ୍ମ ବିଶ୍ବାସ ବୃଦ୍ଧି କରିବାକୁ ହେବ। ଆଉ ଏହା ଅଧିକରୁ ଅଧି ସାଂସ୍କୃତିକ ର୍ଚର୍ଚ୍ଚା ଦ୍ବାରା ସମ୍ଭବ ବୋଲି ଶ୍ରୀ ଦାଶ ବେନହୁର ନବଗଠିତ ସାଂସ୍କୃତିକ ସଂଗଠନ ‘ନବଗୁଞ୍ଜର’ର ପ୍ରତିଷ୍ଠା ଅଭିଭାଷଣରେ ପ୍ରକାଶ କରିଛନ୍ତି।
ଶ୍ରୀ ବେନହୁର କହିଛନ୍ତି, ସଂସ୍କୃତି ବୋଲି କହିଲେ କେବଳ କଲେଜରେ ହେଉଥିବା ନାଚ ଗୀତ କାର୍ଯ୍ୟକ୍ରମ ତାହା ନୁହେଁ, ଆମ ଖାଇବା ପିଇବାଠାରୁ ଆରମ୍ଭ କରି ବିଚାର ବୋଧ ଯାଏ ସମସ୍ତଙ୍କୁ ନେଇ ସଂସ୍କତି ତିଆରି ହୋଇଥାଏ। ଏହା ତାର ପରିକଳ୍ପନା ଓ ପରି.ରିଯୋଜନା ଦ୍ବାରା ବିକାଶ ହୁଏ ତାହାର ଜଳବାୟୁକୁ ନେଇ ଗଢ଼ା ହୋଇଥାଏ।
ସଂସ୍କୃତି, ସାହିତ୍ୟ ଓ ବହି ମଧ୍ୟରେ ତୁଳନା କରି ଶ୍ରୀ ବେନହୁର କହିଛନ୍ତି, ସାହିତ୍ୟ ବହିକୁ ନେଇ ହୋଇ ନାହିଁ। ବହି ୪୦୦ରୁ ୫୦୦ ବର୍ଷର ଇତିହାସ ବହନ କରେ। କିନ୍ତୁ ସମୟକୁ ନେଇ ସଂସ୍କୃତି ଓ ସାହିତ୍ୟ ଚାଲେ। ନବ ଗୁଞ୍ଜର ଧରିଥିବା ଚକ୍ର ହେଉଛି ସମୟର ପ୍ରତୀକ। ମୋ ବିଚାରରେ ପରିବେଶ ଓ ସମୟ ହେଉଛି ସଂସ୍କୃତିର ମୂଳ ଉପାଦାନ।
ସାଂଖ୍ୟ ( ଡିଜିଟାଲ୍) ମାଧ୍ୟମରେ ନବଗୁଞ୍ଜର ସଂଗଠନର ପ୍ରଥମ ୱେବିନାର ହୋଇଥିଲା। ଓଡ଼ିଶା ତଥା ନୂଆ ଦିଲ୍ଲୀରେ ଅବସ୍ଥିତ ଓଡ଼ିଶା ସଂସ୍କୃତି ସମ୍ବନ୍ଧରେ ଚିନ୍ତା କରୁଥିବା ତଥା ଏହାକୁ ବଳିଷ୍ଠ କରିବା ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରୁଥିବା ଅନେକ ସମ ମସ୍ତିଷ୍କ ଅଭିଜ୍ଞ ବ୍ୟକ୍ତି ଏହି ଅବସରରେ ଯୋଗ ଦେଇଥିଲେ। କିସ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ଏହି ଅବସରରେ ଯୋଗ ଦେଇ ଆଶୀର୍ବାଦ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସଂସ୍କୃତି ଓ ଅସ୍ମିତାର ପରିଚୟ ଶ୍ରୀ ଜଗନ୍ନାଥ ଓ ନବଗୁଞ୍ଜରରେ ପ୍ରତିଫଳିତ ସଂସ୍କୃତିକୁ ସେ ଏଠାରେ ସାମ୍ୟକ ଉପସ୍ଥାପନ କରିଥିଲେ। ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ପ୍ରଫେସର ଡ. ଉମାକାନ୍ତ ମିଶ୍ରଙ୍କ ତତ୍ବାବଧାନରେ ଏହି ସାଂଖ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ମିଶ୍ର ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଜଣାଇବା ସହ ନବଗୁଞ୍ଜରଁ ନାମର ବିଶେଷତ୍ବ ବାବଦରେ ବ୍ୟାଖ୍ୟା କରିଥିଲେ। ଦୂରଦର୍ଶନର ପୂର୍ବତନ ନିର୍ଦେଶକ ଡ. ଶାନ୍ତନୁ ରଥ ଏହି ଅବସରରେ ବକ୍ତା ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।