‘ଦମନ’ ହେଲା କରମୁକ୍ତ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଓଡ଼ିଶାରେ ‘ଦମନ’ ଫିଲ୍ମକୁ କରମୁକ୍ତ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ଫିଲ୍ମଟି ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଥିବା ଏକ ପ୍ରେସ୍ବାର୍ତ୍ତାରେ କୁହାଯାଇଛି।
‘ଦମନ’ ଓଡ଼ିଆ ସିନେମା କ୍ଷେତ୍ରରେ ଏକ ମୋଡ଼ ପରିବର୍ତ୍ତନକାରୀ ଭାବେ ଗ୍ରହଣ କରାଯାଉଛି। ବିଭିନ୍ନ ଭାଷାରେ ଏହାକୁ ଡବିଂ କରାଯିବାକୁ ବି ଯୋଜନା ରହିଛି। ଏହି ଓଡ଼ିଆ ଚଳଚ୍ଚିତ୍ରକୁ ଭାରତର ବିଭିନ୍ନ ସହରରେ ପ୍ରଦର୍ଶନ କରାଯାଇଛି। ଆଇଏମ୍ଡିବି ରେଟିଂ ଅନୁସାରେ ଏହି ଫିଲ୍ମ ୯.୬ ରେଟିଂ ହାସଲ କରିଛି।
ଫିଲ୍ମଟି ନଭେମ୍ବର ୪ ତାରିଖରେ ବିଭିନ୍ନ ଥିଏଟରରେ ରିଲିଜ୍ ହୋଇଥିଲା। ଏବେ ସରକାର ଏହାକୁ କରମୁକ୍ତ ବୋଲି ଘୋଷଣା କରିଛନ୍ତି। ଏହା ଫିଲ୍ମର ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି ଆଶା କରାଯାଉଛି।
ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।
ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।
କୋଭିଡ୍ ମହାମାରୀ ସମୟରେ ଯେଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।