ମାଡି ଆସୁଛି ବାତ୍ୟା ‘ଲାରୀ’ : ଘଣ୍ଟା ପ୍ରତି ୧୩୫ କିମି ବେଗରେ ବହିବ ପବନ
କାନାଡା, (ଓଡିଶା ଟାଇମ୍): ମାଡି ଆସୁଛି ଭୟଙ୍କର ବାତ୍ୟା । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ମାଡି ଆସୁଛି । ଶୁକ୍ରବାର ଅପରାହ୍ନରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡେ ମୁହାଁଉଥିବା ସୂଚନା ମିଳିଛି ।
ବାତ୍ୟା ‘ଲାରୀ’ ଗୁରୁବାର ବରମୁଡା ଅତିକ୍ରମ କରିଥିଲା । ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଏହା ଭାରତୀୟ ସମୟ ଅନସାରେ ଶନିବାର ରାତିରେ ଆଟଲାଣ୍ଟିକ୍ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବ । ଏହାର ପ୍ରଭାବରେ ଭୀଷଣ ପବନ ଓ ବର୍ଷା ହେବ । ଏବେଠାରୁ କାନାଡର କିଛି ସ୍ଥାନରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି ।ଏହା ଧିରେଧିରେ ପୂର୍ବ ଉପକୂଳରେ ପ୍ରଭାବ ପକାଇବ । ବାତ୍ୟାକୁ ନଜରରେ ରଖି କାନାଡା ହରିକେନ୍ ସେଣ୍ଟର ସତର୍କ ସୂଚନା ଜାରି କରିଛି । ଦକ୍ଷିଣ ପୂର୍ବ ନ୍ୟୁଫାଉଣ୍ଡବର୍ଗର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ତେବେ ଲାରୀ ଶୁକ୍ରବାରଠୁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ପୂର୍ବରୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିଲା । କିନ୍ତୁ ଏବେ ୧୩୦ କିମି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ଏହା କାନାଡା ଉପକୂଳଠୁ ୧୩୫ କିମି ଦୂରରେ ଥିଲା । ଏହା ଘଣ୍ଟା ପ୍ରତି ୪୭ କିମି ବେଗରେ ଉପକୂଳ ଆଡେ ମୁହାଁଉଚି । ବରମୁଡା ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୬୫ କିମି ରହିଥିଲା । ପରେ ଏହା ଧିରେଧିରେ କମିଥିଲା । କିନ୍ତୁ ଏବେବି କାନାଡା ଉପକୂଳରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଗାଧୋଇବା ଓ ମାଛ ଧରିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି ।