କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ
କେନ୍ଦୁଝର, (ଓଡିଶା ଟାଇମ୍): କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଅନୁ ଗର୍ଗ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ।
ଖବର ଅନୁଯାୟୀ, ଶୁକ୍ରବାର ସକାଳେ ଚମ୍ପୁଆ, ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ନିର୍ମାଣାଧୀନ କାନୁପୁର ଡ୍ୟାମ୍ ଅଞ୍ଚଳକୁ ଯାଇ ପରିଦର୍ଶନ କରିଥିଲେ । ଯୋଡ଼ା ବ୍ଲକ ଅନ୍ତର୍ଗତ କାନୁପୁର ଠାରେ ୨ ହଜାର ୪୩୮ କୋଟି ଟଙ୍କାର ବ୍ୟୟରେ ନିର୍ମାଣ କରାଯାଉଥିବା କାନୁପୁର ବୃହତ ଜଳସେଚନ ପ୍ରକଳ୍ପ ସ୍ଥାନକୁ ଯାଇ ବୁଲିକି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଥିଲେ । ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ୪ଟି ବ୍ଲକର ପାଖାପାଖି ୪୦ହଜାର ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ।
ଏହି ସମୟରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ସେନେଇ ପ୍ରକଳ୍ପର ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଅତିଥି ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଡ୍ୟାମ୍ ନିର୍ମାଣକୁ ନେଇ ଆଲୋଚନା କରିବା ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସମୀକ୍ଷା ବୈଠକରେ କେନ୍ଦୁଝର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଚମ୍ପୁଆ ଉପଜିଲ୍ଲାପାଳ, କାନୁପୁର ଡ୍ୟାମ୍ ପ୍ରକଳ୍ପର ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଭାଗର ଅଧିକାରୀଗଣ ଯୋଗଦେଇଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି ସେସବୁକୁ ବୁଲି ଦେଖିବା ସହିତ ସେଠାରେ ଛାତ୍ରୀମାନଙ୍କ ବାସ୍କେଟ ବଲ ଖେଳିବା ସହ ମଧ୍ୟାହ୍ନ ଭୋଜନ କରିଥିଲେ ।