ଦେଶରେ ୩୮ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୮ ଲକ୍ଷ ୦୩ ହଜାର ୬୯୬ରୁ ଅଧିକ ଟପିଛି।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮,୧୩୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨,୯୭୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୭୧ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୭୯,୩୫୭ ରହିଛି।
ଏହା ବ୍ୟତୀତ ୧୧ ଲକ୍ଷ ୮୬ ହଜାର ୨୦୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଭାରତ ବିଶ୍ଵରେ ୩ୟ ସଂକ୍ରମିତ ରାଷ୍ଟ୍ର ଭାବେ ରହିଛି।
ସେହିପରି ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୮୦,୧୯,୪୭୨ରେ ରହିଛି। ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ ଏହାର ସଂକ୍ରମଣରେ ଏଯାବତ୍ ପ୍ରାୟ ୬ ଲକ୍ଷ ୮୮ ହଜାର ୩୬୯ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।