ଚଳିତ ବର୍ଷ ଶେଷ ସୁଦ୍ଧା ଆସିବ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଭାରତରେ ପ୍ରଥମ କରୋନା ଭାଇରସ୍ ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ ବୋଲି ଶନିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ।

ଉତ୍ତର ପ୍ରଦେଶର ଗାଜିଆବାଦରେ ଏନଡିଆରଏଫର ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ୍ ଉଦଘାଟନ କରିବା ଅବସରରେ ଡ. ହର୍ଷବର୍ଦ୍ଧନ କହିଥିଲେ, “ଆମର କୋଭିଡ ଭ୍ୟାକସିନ୍ ଆଶାୟୀଙ୍କ ମଧ୍ୟରେ ଗୋଟିଏର କ୍ଲିନିକାଲ୍ ଟ୍ରାଏଲ୍ ତୃତୀୟ ପର୍ଯ୍ୟାୟରେ ରହିଛି । ଆମକୁ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ବିକଶିତ ହୋଇପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ କରୋନା ଭାଇରସ୍ କୁ ପ୍ରାୟ ୮ ମାସ ହୋଇଥିବା ବେଳେ ଦେଶରେ ସୁସ୍ଥତା ହାର ୭୫% ରହିଛି । ଏଯାବତ୍ ମୋଟ୍ ୨.୨ ମିଲିୟନ୍ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ବାକି ୭ ଲକ୍ଷ କରୋନା ରୋଗୀ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ।

ମନ୍ତ୍ରୀ ପୁଣି କହିଛନ୍ତି, “ଆମେ କେବଳ ପୁଣେରେ ଏକ ପରୀକ୍ଷଣ ଲ୍ୟାବ୍ ଆରମ୍ଭ କରିଛୁ, ତାସହିତ ଆମେ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରିବା ସହ ଟେଷ୍ଟିଂ କ୍ଷମତାକୁ ବି ବଢାଇଛୁ । ଆଜିକା ସମୟରେ ଭାରତରେ କୋଭିଡ-୧୯ ଲାଗି ୧,୫୦୦ ଟେଷ୍ଟିଂ ଲ୍ୟାବ୍ ରହିଛି । ଗତ ଶୁକ୍ରବାର ଦିନ ଆମେ ଏକ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ କରିଥିଲୁ ।

ଏହା ବ୍ୟତିତ ଆମେ ଜାନୁଆରୀ ମାସରୁ କୋଭିଡ-୧୯ ସହ ମୁକାବିଲା କରିବା ଲାଗି ରଣନୀତି ପ୍ରସ୍ତୁତ କରିଦେଇଥିଲୁ । ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହାର ୧.୮୭ ପ୍ରତିଶତ ରହିଛି । ଯାହା ଦୁନିଆରେ ସବୁଠୁ କମ୍ ରହିଛି । ଯେଉଁଥିରେ ପ୍ରତିଦିନ ସୁଧାର ଆସୁଛି ବୋଲି ମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଥିଲେ ।

ସେହିପରି କରୋନା ରୋଗୀଙ୍କ ପାଇଁ ସମର୍ପିତ ୧୫ ହଜାର ହସ୍ପିଟାଲ୍ ରେ ୧୫ ଲକ୍ଷ ବେଡ୍ ସୁବିଧା ରହିଛି ।

Leave a Reply

Your email address will not be published.