କୋଭିଡ ଆରୋଗ୍ୟ କ୍ଷେତ୍ରରେ ଶୀ​ର୍ଷ​‌ ସ୍ଥାନରେ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କୋଭିଡ ଆରୋଗ୍ୟ ହାର ୮୫ ପ୍ରତିଶତ ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ୮୨ ହଜାରରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୫୭ ଲକ୍ଷ ୪୪ ହଜାର ଅତିକ୍ରମ କରିଛି। ଏବେ ଭାରତ କୋଭିଡରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇ ଏହା ମୋଟ୍‍ ସଂକ୍ରମଣର ୧୩.୪୪% ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭ ହଜାରରେ ପହଞ୍ଚିଛି। ଗତ ୨୪ଘଣ୍ଟା ଭିତରେ ଆଉ ୭୨ ହଜାର ୪୯ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ୍‍ ସଂକ୍ରମଣ ସଂଖ୍ୟା ୬୭ଲକ୍ଷକୁ ଅତିକ୍ରମ କରିଛି। କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରଣକୌଶଳ ଠିକ୍‍ ଭାବେ କାର୍ଯ୍ୟକାରୀ କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି।

ଗତ ୨୪ଘଣ୍ଟା ମଧ୍ୟରେ ୯୮୬ଜଣଙ୍କର ମୃତ୍ୟୁ ଘଟିଥିବାରୁ କୋଭିଡ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪ହଜାର ୫୫୫ରେ ପହଞ୍ଚିଛି। ସେହିପରି ଦେଶରେ କୋଭିଡ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୫୫ ପ୍ରତିଶତ ରହିଛି, ଯାହା ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ବହୁତ କମ୍‍।

Leave a Reply

Your email address will not be published. Required fields are marked *