ଲଣ୍ଡନରୁ ଆସିଥିବା ଫ୍ଲାଇଟ୍‌ରେ ୬ ଯାତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବ୍ରିଟେନ୍‌ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି।  ୨୨ ଡିସେମ୍ବର ରାତିରେ ଆସୁଥିବା ଫ୍ଲାଇଟ ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। ଏସବୁ ଭିତରେ ସୋମବାର ରାତିରେ ଲଣ୍ଡନରୁ ଆସିଥିବା ଫ୍ଲାଇଟ୍‌ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାଯାଇଛି ଯାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇଟ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲା ଅଫିସରେ ଏହାର ସମସ୍ତ ତଥ୍ୟ ରହିବ। ପ୍ରତିଦିନ ଘଟଣାର ସମୀକ୍ଷା କରାଯିବ। କ୍ୱାରେଣ୍ଟିନରେ ରହିବାର ୬ଷ୍ଠ ଦିନ ସମସ୍ତଙ୍କର ପୁନର୍ବାର ପରୀକ୍ଷା କରାଯିବ।

ଜଣେ ନୋଡାଲ ଅଧିକାରୀଙ୍କ କହିବା ଅନୁଯାୟୀ, ଲଣ୍ଡନରୁ କାଲି ରାତି ୧୦ଟା ୪୦ରେ ଆସିଥିବା ଏୟାର ଇଣ୍ଡିଆର ଫ୍ଲାଇଟ ୨୬୬ ଯାତ୍ରୀଙ୍କୁ ନେଇ ଆସିଥିଲା। ଏମାନଙ୍କ ମଧ୍ୟରୁ ୬ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି। ସମସ୍ତ ପଜିଟିଭ ଯାତ୍ରୀଙ୍କ ନମୂନା ପରୀକ୍ଷଣ କରାଯାଇଛି। ଏହି ନମୁନାକୁ NCDCକୁ ଅଧିକ ଗବେଷଣା ପାଇଁ ପଠାଯିବ।

Leave a Reply

Your email address will not be published. Required fields are marked *