ମହାରାଷ୍ଟ୍ର-ଦିଲ୍ଲୀ-ଗୁଜରାଟରେ କରୋନା ସ୍ଥିତି ଭୟଙ୍କର, ମୃତ୍ୟୁସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଯୋଗୁଁ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ସୋମବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାରରୁ ଅଧିକ ଏବଂ ୭୨୦୦ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ଗୁଜୁରାଟ ଏବଂ ଦିଲ୍ଲୀର ଅଧିକାଂଶ ଲୋକ କରୋନା ଯୋଗୁଁ ପ୍ରାଣ ହରାଉଛନ୍ତି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ କେବଳ ମହାରାଷ୍ଟ୍ରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୬୯ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସଂକ୍ରମିତ ମୋଟ୍ ସଂଖ୍ୟା ୮୮ ହଜାର ୫୨୮, ଯେଉଁଥିରୁ ୪୦ ହଜାର ୯୭୫ ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୪୪ ହଜାର ୩୭୪ ଆକ୍ଟିଭ୍ କେସ୍ ରହିଛି।

ମହାରାଷ୍ଟ୍ରର ମୁମ୍ବାଇ ସହର କରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ୍ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି ଏବଂ ଏପର୍ଯ୍ୟନ୍ତ ୧୭୦୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୧ଟି ମାମଲା ରୁଜୁ ହୋଇଛି ଏବଂ ୬୪ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇରେ ବର୍ତ୍ତମାନ ୨୬ ହଜାର ୩୪୫ ସକ୍ରିୟ ମାମଲା ଥିବାବେଳେ ୨୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

ସେହିଭଳି ଦିଲ୍ଲୀରେ ସୋମବାର ଦିନ ଏକ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ସରକାରଙ୍କ ଦ୍ବାରା ପ୍ରକାଶିତ ସ୍ବାସ୍ଥ୍ୟ ବୁଲେଟିନର ମୃତ୍ୟୁ ଅଡିଟ୍ କମିଟିର ରିପୋର୍ଟକୁ ଭିତ୍ତିକରି ମେ’ ୩୦ରୁ ଜୁନ୍ ୬ ମଧ୍ୟରେ ୬୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଖବର ମଧ୍ୟ ବିଳମ୍ବରେ ଆସିଛି। ବର୍ତ୍ତମାନ ମୋଟ୍ ରୋଗୀଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରେ ପହଞ୍ଚିଛି ଯେଉଁଥିରେ ୮୭୪ ଜଣ ଲୋକ ପ୍ରାଣ ହରାଇଛନ୍ତି ।

Leave a Reply

Your email address will not be published.