ଡିସେମ୍ବର ୪ରେ ସର୍ବଦଳୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସାରା ବିଶ୍ବରେ କରୋନା ମହାମାରୀ ଲାଗାତାର ଭାବେ ବଢିବାରେ ଲାଗିଛି । ଭାରତରେ ଏହାର ପ୍ରଭାବ ଦିନକୁ ଦିନ କମିବାରେ ଲାଗିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଭାବେ କମିନାହିଁ । ଦେଶରେ ରବିବାର ତୁଳନାରେ ସୋମବାର କମ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୪୧ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିଭଳି ସୋମବାର ଦିନ ୩୮ ହଜାର ୭୭୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୩ ଜଣଙ୍କର ମୃତ୍ୟୁ ଘଟିଛି ।
ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୯୪ ଲକ୍ଷ ପାର କରିସାରିଲାଣି । ସେହିଭଳି ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ କୋଟି ୩୦ ଲକ୍ଷ ୭୨ ହଜାର ୪୭୫ରେ ପହଞ୍ଚିଛି । ମହାମାରୀରେ ସାରା ବିଶ୍ବରେ ୧୪ ଲକ୍ଷ ୬୫ ହଜାର ୧୮୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିଭଳି ମୋଟ ୪ କୋଟି ୩୫ ଲକ୍ଷ ୪୫ ହଜାର ୮୨୯ ଜଣ ସୁସ୍ଥ ହୋଇସାରିଲେଣି ।
ତେବେ ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ଡିସେମ୍ବର ୪ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତି ବିଷୟରେ ସମୀକ୍ଷା କରାଯିବ । ତେବେ ଦେଶରେ କରୋନା ଗ୍ରାଫ୍ ଦିନକୁ ଦିକ ଖସୁଛି । ତେବେ ଏହାକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଏବେ ବି ଅନେକ ସେକ୍ଟର ବନ୍ଦ ରହିଛି ।