ଦାଦନ, ପ୍ରବାସୀ, ଅତିଥି ଓ ମୋହରା

ବର୍ଷ ବର୍ଷଧରି ଯେଉଁ ପୁଅ ଅଲୋଡ଼ା ହୋଇ ଦାଦନ ଯାଇଥିଲା ଏବେ ସେ ପ୍ରବାସୀ ଆଖ୍ୟା ନେଇ ସରକାରଙ୍କ ଆତିଥ୍ୟ ପାଉଛି।  ତାକୁ ଆଗକୁ କାମ ମିଳିବ କି ନାହିଁ, ରୋଜଗାରର ପନ୍ଥା ମିଳିବ କି ନା ତାହା ଅସ୍ପଷ୍ଟ ହେଲେ ସବୁ ଦଳ ଲାଗିଛନ୍ତି ନିର୍ବାଚନରେ କିପରି ଏହି ଦାଦନ-ପ୍ରବାସୀ -ଅତିଥିଟି ତାଙ୍କ ଦଳୀୟ ଚିହ୍ନ ଆଗରେ ଥିବା ବଟନକୁ ଟିପିବ। ଅର୍ଥାତ୍‌ ନିର୍ବାଚନ ଜିତିବାକୁ ସେ ମୋହରା ପାଲଟିବାକୁ ଯାଉଛି!

 

ଦୋକାନ ବଜାର ଖୋଲିଲାଣି। ମୁହଁରେ ଦାଢ଼ି ଓ ମୁଣ୍ଡରେ ବାଳ ଆଉ ବୋଝ ହେବ ନାହିଁ ବୋଲି ଏକ ସମ୍ଭାବନା ମନକୁ ଆସିଲାଣି। କିନ୍ତୁ  ତା’ ଭିତରେ ଆଶଙ୍କାଗୁଡ଼ିକ ମରିବା ବଦଳରେ ଦିନକୁ ଦିନ ମୁଣ୍ଡ ଟେକି ମନକୁ ଅଧିକ ଭାରାକ୍ରାନ୍ତ କରିବାରେ ଲାଗିଛନ୍ତି।   ମୋ ରୋଜଗାର ପୂର୍ବ ସ୍ଥିତିକୁ ଫେରିବ ନା ନାହିଁ?  ବ୍ୟାଙ୍କ୍‌ରେ ଥିବା ପୁଞ୍ଜି ମୋର ଆଗକୁ ଔଷଧ ଖର୍ଚ ଉଠାଇପାରିବ ନା ନାହିଁ? ମୁଁ ନେଇଥିବା ଋଣ ବାବଦ ଇଏମ୍‌ଆଇ ଦେଇପାରିବି ନା ନାହିଁ? ଏମିତି ଅନେକ। ଯୁବାଠୁ ବୁଢ଼ା ଆଉ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଘରୋଇ ଚାକିରିଆ, ପ୍ରଫେସନାଲ୍‌ ଏହି ଭୟରେ ଆକ୍ରାନ୍ତ,  ହେଲେ ରାଜନୀତି??

ଲୁଡୁ ପାଲିର ଗୋଟି ଭଳି ରାଜନୀତି କଡ଼ ଲେଉଟାଇବା ଆରମ୍ଭ କଲାଣି। କେନ୍ଦ୍ର ଓ ରାଜ୍ୟଠୁ ଆରମ୍ଭ କରି ଗାଁ ଓ ସହରଯାଏ ପ୍ରତିଟି ପରିସ୍ଥିତିରେ ରାଜନୀତି ଏକ ନୂଆ ମୁଖାକୁ ଖୋଜୁଛି। ଯେମିତି ଆମେ କଟକଣା ପୂଣ୍ଣ ଜୀବନକୁ ନ୍ୟୁ-ନର୍ମାଲ ନାଁ ଦେଇ ବୁଲୁଛୁ ଠିକ୍‌ ସେମିତି ଆମ ଦୁର୍ଦିନକୁ ରାଜନେତାମାନେ ନିଜ ପାଇଁ ଏକ ସୁଯୋଗ ବୋଲି ଗଣି ସେଇ ଅନୁସାରେ କାର୍ଯ୍ୟ ଆରମ୍ଭ କରିସାରିଲେଣି। ନହେଲେ ଦିନେ ଦାଦନ ଆଖ୍ୟା ପାଇ ରାଜ୍ୟରେ ଅଲୋଡ଼ା ହୋଇଥିବା ପୁଅ ଯିଏ ଆତଙ୍କିତ ହୋଇ ଘରକୁ ଫେରିବା ଲାଗି ଚାଲି ଚାଲି ପାଦରୁ ମାଉଁସ ଖସାଇଛି ସେ ଆଜି ଅତିଥି ମର୍ଯ୍ୟାଦା ପାଉ ନଥାଆନ୍ତା! ତାକୁ କେନ୍ଦ୍ର କରି କେନ୍ଦ୍ର-ରାଜ୍ୟ ଭିତରେ ଟଣା ଓଟରା ଲାଗି ନଥାଆନ୍ତା କି ତାକୁ ସନ୍ତୁଷ୍ଟ କରିବା ଲାଗି କୋଟି କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ଲୋଭ ଦେଖା ଯାଇ ନଥାଆନ୍ତା!

କିଛିଦିନ ପୂର୍ବରୁ ପରିସ୍ଥିତି ଏମିତି ଥିଲା ଯେ, ରାଜ୍ୟରୁ କେତେ ଶ୍ରମିକ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଲେ ସରକାର ଫିଡ଼ିକି ଉଠୁଥିଲେ। ଏପରିକି ବିପତ୍ତି ସମୟରେ ମଧ୍ୟ ଏହି ସଂଖ୍ୟାକୁ ଆକଳନ କରିବା କଷ୍ଟକର ହେଉଥିଲା। ହେଲେ ଗଲା ଦୁଇ ମାସର ଲକ୍‌ଡାଉନ୍‌ ସମୟ ବିଭିନ୍ନ ରାଜ୍ୟରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ଦାଦନ  ଆଜି ପ୍ରବାସୀ ଆଖ୍ୟା ପାଇଛି।  ଖାଲି ଓଡ଼ିଶା କ୍ଷେତ୍ରରେ ଏପରି ହୋଇଛଇ ତାହା ନୁହେଁ, ସାରା ଭାରତ ବର୍ଷର ପ୍ରାୟ ସବୁ ରାଜ୍ୟରେ ସେ ଆଜି ନିଜ ଦୁର୍ଦଶାର ଜାତକ ଖୋଲି ବସିଛି। 

ମାର୍ଚ ମାସର ୨୫ ତାରିଖରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୁତାଣୁ ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ତଥା ରୋକ୍‌ ଦେବା ଲାଗି ଯିଏ ଯେଉଁଠି ଯେମିତି ଅଛନ୍ତି ସେମତି ରହନ୍ତୁ ବୋଲି ନିବେଦନ କଲେ। ସମସ୍ତ ବ୍ୟବସାୟ, କାରବାର ବନ୍ଦ ହେଲା। ଏହାଦ୍ଵାରା କାମ ହରାଇଥିବା ଶ୍ରମିକ ମଜୁରି ହରାଇଲେ। ଏହା ସହ ଅଦୃଶ୍ୟ ଭୁତାଣୁର ଭୟରେ ଆତଙ୍କିତ ହୋଇ ନିଜ ଆତ୍ମୀୟ ସ୍ଵଜନଙ୍କ ପାଖକୁ ଯିବା ଲାଗି ଆଗ୍ରହ ପ୍ରକାଶ କଲେ। ଗାଡ଼ି, ମୋଟର ବନ୍ଦ ଥିବାରୁ କିଏ ସାଇକଲ୍‌ରେ ଆଉ କିଏ ଚାଲି ଚାଲି ଦୀର୍ଘ ବାଟ ଅତିକ୍ରମ କଲେ। ମୋଦିଙ୍କ ‘ଜୀବନ ଅଛି ତ ସବୁକିଛି’ ସ୍ଲୋଗାନ୍‌ ଜବାବରେ ଶ୍ରମିକ କହିଲେ, ଭୁତାଣୁ ମାରୁ ବା ନମାରୁ ଏ ଲକ୍‌ଡାଉନ୍‌ ଆମକୁ ମାରି ଦେବ!

ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳକୁ ସ୍ଥିତି ଆଉ ସମ୍ଭାଳ ଭିତରେ ନଥିଲା। ଲୋକେ ଚାଲି ଚାଲି ଭାରତରେ ଏକ ନୂଆ ଇତିହାସ ସୃଷ୍ଟି କଲେ, ଯାହା କେବେ ସ୍ଵାଧୀନ ଭାରତ ଦେଖି ନଥିଲା। ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିବା କେନ୍ଦ୍ର ସରକାର ହଠାତ୍‌ ମେ’୧ରେ ସ୍ଵତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍‌ ଘୋଷଣା କଲେ ଆଉ ତାହା ବିଭିନ୍ନ ରାଜ୍ୟରୁ ଶ୍ରମିକଙ୍କୁ ନେଇ ଓଡ଼ିଶା ଆସିଲା।  ଏ ଭିତରେ ୨ହଜାର ୬୦୦ ସ୍ଵତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ ଟ୍ରେନ୍‌ ଦ୍ଵାରା ସରକାର ୩୫ ଲକ୍ଷ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି। ସେହିପରି ଅନ୍ୟ ୪୦ ଲକ୍ଷ ଶ୍ରମିକଙ୍କୁ ବସ୍‌ ଦ୍ଵାରା ସେମାନଙ୍କ ରାଜ୍ୟକୁ ପଠାଯାଇଛି। ଆସନ୍ତା ୧୦ ଦିନ ଭିତରେ ସ୍ଵତନ୍ତ୍ର ଟ୍ରେନ୍‌ ଯୋଗେ ଆହୁରି ୩୫ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା ଲାଗି ସରକାର ବ୍ୟବସ୍ଥା କରିଥିବା କହିଛନ୍ତି।

ଏସବୁ କିନ୍ତୁ ସବୁଠି ବ୍ୟବସ୍ଥିତ ନୁହେଁ। ଯେଉଁ ରାଜ୍ୟ ସହ କେନ୍ଦ୍ରର ଭଲ ସମ୍ପର୍କ ରହିଛି ସେଠାରେ ଶ୍ରମିକ ଠିକଣା ଭାବେ ପହଞ୍ଚୁଛନ୍ତି ବା ସେଠାରୁ ଅନ୍ୟ ରାଜ୍ୟକୁ ଶ୍ରମିକ ପଠାଇବା ସୁରୁଖୁର ରହିଛି। କିନ୍ତୁ ଯେଉଁଠି ଅନ୍ୟ ଦଳ ବା ଆଦର୍ଶର ଦଳ ସରକାର ଗଢ଼ିଛନ୍ତି ସେଠି ପରିସ୍ଥିତି ଓଲଟା ହୋଇଛି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ , କେରଳ ପରି ରାଜ୍ୟଗୁଡ଼ିକରେ ଯେମିତି ସ୍ଥିତି ସୃଷ୍ଟି ହୋଇଛି ତାହା ଏଠାରେ ଉଲ୍ଲେଖ ଯୋଗ୍ୟ।

କେନ୍ଦ୍ର-ରାଜ୍ୟ ଭିତରେ ରାଜନୀତିକ ତଳ-ମେଳ ଅଭାବ ହେତୁ ଶ୍ରମିକ ପୁଣି ହତାଶ ହୋଇଛି। ବିନା ପାଣି, ଖାଦ୍ୟରେ ଟ୍ରେନ୍‌ରେ ୧୦-୧୨ ଘଣ୍ଟା ଯାତ୍ରା କରିଛି। ଖାଲି ସେତିକି ନୁହେଁ, ଅନ୍ୟ ଟ୍ରେନ୍‌ ଯାଇ ରେଳ ରାସ୍ତାକୁ ଜାମ୍‌ କରୁ ନଥିଲେ ମଧ୍ୟ ତାକୁ ନିଜ ରାଜ୍ୟରେ ପହଞ୍ଚିବାକୁ ଅଧିକ ୩୦ରୁ ୪୦ ଘଣ୍ଟା ବିଳମ୍ବ ଅପେକ୍ଷା କରିବାକୁ ପଡ଼ିଛି। ଏହି ପ୍ରକାର ଦୟନୀୟ ବ୍ୟବସ୍ଥା, ଦୀର୍ଘ ବିଳମ୍ବିତ ଯାତ୍ରା ପୂର୍ବରୁ ବିଚଳିତ ଥିବା ପ୍ରବାସୀ ଶ୍ରମିକଙ୍କୁ ଅଧିକ କଷ୍ଟ ଦେଇଛି।  ଏହାକୁ ନିର୍ଯାତନା ବୋଲି ବି ଅଭିହିତ କରିଛନ୍ତି ଦାଦନରୁ ପ୍ରବାସୀ ସାଜିଥିବା ଏହି ଶ୍ରମିକମାନେ।

ଏବେ ପ୍ରବାସୀରୁ ଅତିଥି ହୋଇଥିବା ଶ୍ରମିକଙ୍କ କଥା।

ଭାରତର ଜନଗଣନା ରିପୋର୍ଟ ୨୦୧୧ ଅନୁସାରେ  ପ୍ରତିବର୍ଷ ପ୍ରାୟ ୧୪ କୋଟି ଲୋକ କାମ ଧନ୍ଦା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଥାଆନ୍ତି। ସର୍ବାଧିକ ଦାଦନରେ ଯାଉଥିବା ଶ୍ରମିକଙ୍କ ସଂଖ୍ୟା ଉତ୍ତର ପ୍ରଦେଶରୁ ହୋଇଥିବା ବେଳେ ଏହା ପଛକୁ ବିହାର, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଜମ୍ମୁ ଓ କଶ୍ମୀର ଏବଂ ଓଡ଼ିଶାର ନା  ଆସିଥାଏ। ପୁଣି ଏହି ଦାଦନମାନଙ୍କୁ ଶ୍ରମ ବା କର୍ମ ସଂସ୍ଥାନ ଯୋଗାଇବାରେ ଯେଉଁ ରାଜ୍ୟଗୁଡ଼ିକ ଆଗୁଆ ରହିଛନ୍ତି ସେମାନଙ୍କ ଭିତରେ  ଦିଲ୍ଲୀ ସବୁଠାରୁ ଆଗରେ ରହିଥିବା ବେଳେ ତା’ ପଛକୁ ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, କେରଳ ପ୍ରଭୃତି ରାଜ୍ୟ ରହିଛନ୍ତି।

ଅର୍ଥାତ୍‌ ଦାଦନ ବା ପ୍ରବାସୀ ଶ୍ରମିକ ଆମ ଅର୍ଥନୀତି ଓ ସାମାଜିକ ବନ୍ଧନୀରେ ଏକ ସ୍ଵଭାବିକ ଘଟଣା।  କିନ୍ତୁ ଏହାକୁ ଠିକଣା ଭାବେ ପରିଚାଳନା କରିବାରେ ଦେଶ ବିଫଳ ହୋଇଥିବାରୁ ଲକ୍‌ଡାଉନ୍‌ ବେଳେ ତାହା ଉତ୍କଟ ହୋଇଥିଲା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇଁ ଏହା ଏକ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଥିଲା। ମୁହଁ ଲୁଚାଇବାକୁ ଜାଗା ନପାଇ ଉଭୟ ସରକାର ନିଜର ରଣନୀତିରେ ସେମାନଙ୍କୁ ଅତିଥି ଏବଂ ବାହାରେ ଥିବା ପୁଅ ବୋଲି ସମ୍ବୋଧନ କରି ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ଏବଂ ଗ୍ରହଣ କରିବା ଲାଗି ସରକାରମାନେ ପ୍ରସ୍ତୁତ ବୋଲି ପ୍ରଚାର କଲେ। କିନ୍ତୁ ଏହା କ୍ଷେତ୍ର ବିଶେଷରେ ପାଳନ କରା ନଯିବା ଯୋଗୁ ଅନେକ ଶ୍ରମିକଙ୍କୁ ପ୍ରାଣ ଦେବାକୁ ବି ପଡ଼ିଥିଲା। ଏଯାଏ ଫେରନ୍ତା ପୁଅକୁ ଓଡ଼ିଶା ଭଳି ରାଜ୍ୟ ଉଦ୍ଦିଷ୍ଟ କରୋନା ସହାୟତା ଅର୍ଥ ବି ପ୍ରଦାନ କରିବାରେ ସକ୍ଷମ ହୋଇପାରି ନାହାନ୍ତି।

ରାଜନୀତିରେ ମୋହରା

ଅତିଥି ଓ ମାଟିର ପୁଅ ଏବେ ମୋହରା ପାଲଟିବାକୁ ପ୍ରସ୍ତୁତି ସରିଛି। କେନ୍ଦ୍ର ସରକାର ଏମାନଙ୍କ ଥଇଥାନ ତଥା କର୍ମ ନିଯୁକ୍ତି କ୍ଷେତ୍ର ସୃଷ୍ଟି ଲାଗି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭାଶୀଳ ଭାରତ  ଯୋଜନା ଘୋଷଣା କରିଛନ୍ତି। ଏଥିରେ କେତେ ନିଯୁକ୍ତି ମିଳିବ ଏବଂ କିଏ ଲାଭବାନ ହେବ ତାହା ବିଚାର ଅନ୍ୟ ଏକ ସନ୍ଦର୍ଭରେ କରିବା, କିନ୍ତୁ ଏଯାଏ ଏହି ଘୋଷଣାର ଫାଇଦା ତାଙ୍କ ପାଖରେ ପହଞ୍ଚି ପାରି ନାହିଁ।

ହେଲେ ଆଗକୁ ନିର୍ବାଚନ ଆସୁଛି। ବିହାରରେ ବିଧାନସଭା ନିର୍ବାଚନ ଆସନ୍ନ ହୋଇଥିବା ବେଳେ  ଏପ୍ରିଲ୍‌ ପୂର୍ବରୁ ତାମିଲନାଡ଼ୁ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆସାମ ଭଳି ରାଜ୍ୟ ନିର୍ବାଚନ ଦେଖିବେ। ଏଣୁ ଅନ୍ୟ ରାଜନୀତିକ ଦଳ ଉପରେ ବୋଝ ଲଦି ଏହି ରାଜ୍ୟଗୁଡ଼ିକରେ ଶାସନ କରୁଥିବା ସରକାର ଖସିବା ପାଇଁ ଚେଷ୍ଟା କରିବା ସ୍ଵଭାବିକ।  ସେହିପରି ବିରୋଧୀ ଦଳ ସରକାରଙ୍କ ଦୋଷକୁ ଲୋକଙ୍କ ସାମ୍ନାକୁ ଆଣି ଶାସନ ହାତେଇବାକୁ ଚାହିଁଛି। କିନ୍ତୁ ନ୍ୟୁ-ନର୍ମାଲ୍‌ ପରିସ୍ଥିତି ତାଙ୍କୁ ସେତିକି ସହାୟକ ହୋଇପାରୁ ନାହିଁ।

ଏହି ଛକା ପଞ୍ଝା ଯଦିଓ ଓଡ଼ିଶାରେ ଏବେ ନାହିଁ କିନ୍ତୁ ରାଜ୍ୟ ଆଗକୁ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ଏହି ପରିସ୍ଥିତିରେ ଗତକାଲିର ଦାଦନ ଆଗକୁ ଭୋଟର ହେବା ସମ୍ଭାବନା ଯଥେଷ୍ଟ । ଏଣୁ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡଠୁ ଆରମ୍ଭ କରି କ୍ଵାରେଣ୍ଟୀନ୍‌ କେନ୍ଦ୍ର ଯାଏ କେମିତି ସେମାନଙ୍କୁ ଆତିଥ୍ୟ ପ୍ରଦାନ କରାଯିବ ସେଥିରେ ସରକାରୀ କଳ ବ୍ୟସ୍ତ ରହିଛି। ଖାଲି ସେତିକି ନୁହେଁ ସରକାରୀ କଳ ଓ ଦଳ ରାଜ୍ୟର କରୋନା ମୁକାବିଲା ରଣନୀତିକୁ ଭାରତରେ ଏକ ନମ୍ବର ବୋଲି କହୁଥିବା ବେଳେ ବିରୋଧୀ ଏହାକୁ ପ୍ରତି ଦିନ ସମାଲୋଚନା କରି ବାର୍ତ୍ତା ଛାଡ଼ୁଛନ୍ତି। ପୁଣି ନ୍ୟୁ- ନର୍ମାଲ ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେ ଶାସକ ହେଉ ବା ବିରୋଧୀ କାହାକୁ ହେଲେ ପ୍ରଶ୍ନ ପଚାରିବା ଲାଗି ସାମ୍ବାଦିକଙ୍କୁ ସୁଯୋଗ ଦେଉ ନାହିଁ। ଏଣୁ ଆପଣ ଯେଉଁ ସୂଚନା ପାଉଛନ୍ତି ତାହା ଏକ ଏକ ପାକ୍ଷିଆ ବୋଲି ଜାଣି ରଖନ୍ତୁ। ସବୁ ଆଡ଼ୁ ସୂଚନା ନେଇ ନିଜେ ନିଜକୁ ପ୍ରସ୍ତୁତ କରନ୍ତୁ।

Leave a Reply

Your email address will not be published. Required fields are marked *