ଭାରତରେ କରୋନା ଭାଇରସ ନିୟନ୍ତ୍ରିତ : ଡ. ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଏହି ଭୁତାଣୁ ହେତୁ ସାରା ବିଶ୍ୱର ସ୍ଥିତି ଖରାପ ହେବା ସହ ଆମେରିକାର ସ୍ଥିତି ମଧ୍ୟ ଖରାପ ସ୍ତରରେ ପହଞ୍ଚିଛି । ସେହିଭଲି ଇଟାଲୀ, ଫ୍ରାନ୍ସ, ଋଷ, ବ୍ରିଟେନ, ତୁର୍କୀ, ଜର୍ମାନୀ ଆଦି ପ୍ରମୁଖ ଦେଶଗୁଡ଼ିକର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି। ମାତ୍ର ଅନ୍ୟଦେଶ ତୁଳନାରେ ଭାରତରେ କରୋନା ଭାଇରସର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ।
ସମଗ୍ର ବିଶ୍ୱରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୪ ହଜାର ହୋଇଥିବା ବେଳେ କେବଳ ଆମେରିକାରେ ଏହା ହେଉଛି ୯୧ ହଜାର । କିନ୍ତୁ ଭାରତରେ ଏଯାଏଁ ୩ ହଜାର ୩୦୩ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ ୧ ଲକ୍ଷ ୬ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସୂଚନା ଅନୁସାରେ ଅନ୍ୟଦେଶ ମାନଙ୍କ ତୁଳନାରେ ଭାରତରେ ମୃତ୍ୟୁ ହାର ସର୍ବନିମ୍ନ । ଅର୍ଥାତ ଭାରତ କରୋନା ଭାଇରସର ସଫଳ ମୁକାବିଲା କରୁଛି । ବିଶ୍ୱରେ ପ୍ରତି ୧ ଲକ୍ଷରେ କରୋନାରେ ୪.୧ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ ଏହା ୦.୨ । କିନ୍ତୁ ସ୍ପେନରେ ୫୯.୨, ଇଟାଲୀ ୫୨.୮, ଫ୍ରାନ୍ସ, ୪୧.୯, ଆମେରିକା ୨୬.୬ ଓ ଜର୍ମାନୀ ୯.୬ ମୃତ୍ୟୁ ହାର ରହିଥିବା ସୂଚନା ଦେଇଛନ୍ତି l