୨୪ ଘଣ୍ଟାରେ ୪୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବଢୁଥିବା ଲକ୍ଷ୍ୟ କରାଯାଉଛି। ଖାଲି ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮କୁ ବୃଦ୍ଧି ପାଇଛି। ଦେଶରେ ୨୪ ଘଣ୍ଟାରେ ୨୭୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୨୩, ୯୦୭ ଜଣ କରୋନାରୁ ମୁକ୍ତ ହୋଇଥିବା ଜଣାଯାଇଛି।
ଏଯାବତ୍ ଦେଶରେ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ଜଣ ଆରୋଗ୍ୟ ହୋଇଥିବା ବେଳେ ଆକ୍ଟିଭ୍ କେସ ରହିଛି ୩ ଲକ୍ଷ ୬୮ ହଜାର ୪୫୭। ବର୍ତ୍ତମାନ ସୁଦ୍ଧା ଦେଶରେ ୫କୋଟି ୮ ଲକ୍ଷ ୪୧ ହଜାର ୨୮୬ ଜଣ ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସୂଚନାଥାଉ କି, ଗତକାଲି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ୧୯୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଭାରତରେ ବର୍ତ୍ତମାନ ସୁଦ୍ଧା ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲର କରୋନା ଭାଇରସ ଭାରିଏଣ୍ଟ ୭୯୫ ଜଣ ରୋଗୀଙ୍କଠାରେ ଠାବ କରାଯାଇଛି। ଗତବର୍ଷ ୟୁନାଇଟେଡ କିଙ୍ଗଡମରେ ସାମ୍ନାକୁ ଆସିଥିବା ଷ୍ଟ୍ରେନ୍ ଭାରତରେ ବେଶି ପରିମାଣରେ ଦେଖାଦେଇଛି। ବିଶେଷକରି ପଞ୍ଚାବରେ ଚଳିତମାସୀ ୩୨୬ ଏହି ଷ୍ଟ୍ରେନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ କହିବା ଅନୁଯାୟୀ, ଏହି ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ଘାତକ ଏବଂ ଯୁବଗୋଷ୍ଠୀଙ୍କ ଉପରେ ଏହାର ପ୍ରଭାବ ବେଶି ରହୁଛି। ତେଣୁ ସେ ଯୁବଗୋଷ୍ଠୀଙ୍କୁ ଭାକ୍ସିନ ଦେବାକୁ କେନ୍ଦ୍ରକୁ ଅପିଲ କରିଛନ୍ତି।











