କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୨୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ କରୋନା ସଂକ୍ରମଣ ପୁଣି ୨୫ ହଜାର ଟପିଥିବା ନେଇ ସୂଚନା ମିଳିଛି। ୨୪ ଘଣ୍ଟାରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି ମଧ୍ୟରେ ବୃଦ୍ଧି ପାଇଛି । ଏହାସହ ୨୪ ଘଣ୍ଟାରେ ୧୫୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

କଡ଼ ଲେଉଟାଇ ପୁଣି ମାଡ଼ୁଛି କରୋନା ସଂକ୍ରମଣ। ଗତ କାଲି ମଧ୍ୟ ଦେଶରେ ଚିହ୍ନଟ ହୋଇଥିଲେ ପାଖାପାଖି ୨୫ ହଜାର ଆକ୍ରାନ୍ତ। ଏହାସହ ମହାମାରୀ ନେଇଥିଲା ୧୪୦ ଜଣଙ୍କ ଜୀବନ। ସଂକ୍ରମଣ ବଢିବା ସହ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ହ୍ରାସ ପାଇଛି। ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁ ଏହି ୫ ରାଜ୍ୟରେ ସ୍ଥିତି ବେକାବୁ ହେଲାଣି। ସଂକ୍ରମଣ ବଢୁଥିବା ବେଳେ ବିମାନ ଯାତ୍ରୀଙ୍କ ପାଇଁ କଠୋର ହୋଇଛନ୍ତି DGCA।

ମିଳିଥିବା ସୂଚନା ଅନୁସାରେ, ଏଣିକି ଏୟାରପୋର୍ଟରେ କି ବିମାନ ଭିତରେ ମାସ୍କ ନପିନ୍ଧିଲେ ବା କରୋନା ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ବାରମ୍ବାର ସତର୍କ କରିବା ପରେ ଯାତ୍ରୀ ଯଦି ନିୟମ ନମାନନ୍ତି ତେବେ ତାଙ୍କୁ ବିମାନରେ ଯାତ୍ରା କରିବାକୁ ଦିଆଯିବ ନାହିଁ। ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯିବ ଯଦି ବିମାନ ଉଡ଼ାଣ ଭରିବା ପରେ ଯାତ୍ରୀ ନିୟମ ଉଲ୍ଲଂଘନ କଲେ, ତାଙ୍କୁ ବିଶୃଂଖଳିତ ଯାତ୍ରୀ ଭାବେ ଧରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ତେବେ କରୋନା ଏମିତି ଭାବରେ କାୟା ମେଲାଉଥିବାରୁ ଅନେକ ରାଜ୍ୟରେ ପୁଣି ଥରେ ଲକଡାଉନ ଓ ସଟଡାଉନ ମଧ୍ୟ ଘୋଷଣା କଲେଣି ରାଜ୍ୟ ସରକାର। ଗୋଟିଏ ପଟେ କରୋନା ଟିକା ଦିଆଯାଉଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି କେନ୍ଦ୍ର ସରକାର।

Leave a Reply

Your email address will not be published. Required fields are marked *