ଆଜିଠାରୁ ରାଜ୍ୟରେ ପୁଣି କରୋନା ଟିକାକରଣ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠାରୁ ରାଜ୍ୟରେ ପୁଣି ଟିକାକରଣ ଚାଲିବ। ପଲସ୍ ପୋଲିଓ ଅଭିଯାନ ପାଇଁ ରାଜ୍ୟରେ ଗତ ୩ ଦିନ ଧରି ରାଜ୍ୟରେ କୋଭିଡ ଟିକାକରଣ ବନ୍ଦ ଥିଲା। ଆଜି ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ। ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେହିପରି ଫେବୃଆରୀ ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ। ଆମେ ସେମାନଙ୍କ ପାଇଁ ଅଲଗା ସ୍ଥାନ, ଅଲଗା ଟିକା ପ୍ରଦାନକାରୀଙ୍କୁ ନିୟୋଜିତ କରିବାକୁ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ ରଖିଛୁ। ସେମାନଙ୍କୁ ଏ ଦିଗରେ ଗାଇଡ଼ଲାଇନ ନେଇ ଅବଗତ କରାଯିବ।

ଏଥିପାଇଁ ହସ୍ପିଟାଲ ବ୍ୟତୀତ ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦେଶ ଦିଆଯାଇଛି। ଏପରିକି କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ କୁହାଯାଇଛି। ଟିକା ଯେମିତି ଅପଚୟ ନହେବ, ଆଗୁଆ ଟ୍ରେନିଂ ଦେବାକୁ ପରାମର୍ଶ ସ୍ୱାସ୍ଥ୍ୟ ବିଭାଗ ଦେଇଛି।
ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲାପାଳ, ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
ଗତ ଜାନୁଆରୀ ୧୬ରେ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ସହିତ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମେ ଟିକା ଦିଆଯାଇ ରାଜ୍ୟରେ ଟିକାକରଣ ହୋଇଥିଲା।

Leave a Reply

Your email address will not be published. Required fields are marked *