କେଉଁଠି ହେଲାଣି ଟିକା ? ଟିକାକୁ ଅପେକ୍ଷା..
ଭୁବନେଶ୍ବର, (ଓଡିଶା ଟାଇମ୍) : କେବେ ଆସିବ ଭୂତାଣୁ ନାଶକାରୀ ଭ୍ୟାକସିନ୍ । କୋରୋନା ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାରା ବିଶ୍ବ ଲାଗିଥିବା ବେଳେ ଅଧିକାଂଶ କମ୍ପାନି ତୃତୀୟ ପର୍ଯ୍ୟାୟ ସଫଳତା ହାସଲ ଅପେକ୍ଷାରେ । କେବେ ଆସିବ କୋରୋନା ଟିକା ? କାରଣ କୋରୋନା ଛାରଖାର କରିଦେଲାଣି ସବୁକିଛି । ଶିକ୍ଷା ଠାରୁ ଅର୍ଥନୀତି… ମହାମାରୀ ମାଡ଼ରେ ସବୁ ଧରାଶାୟୀ । ସାରା ବିଶ୍ବରେ ସ୍ବାସ୍ଥ୍ୟ ବିଜ୍ଞାନ ଅନେକ ଉନ୍ନତି କରିଥିଲେ ମଧ୍ୟ ମାର୍ଚ୍ଚ ମାସରୁ ପ୍ରଚେଷ୍ଟା ଜାରି ରହିଛି ଯେ ଜାରି ରହିଛି । ଆଗରୁ ଅନେକ ଭୂତାଣୁ ବାହିତ ରୋଗ ଏ ବିଶ୍ବ ଦେଖିଛି । ବସନ୍ତ ଠାରୁ ଆରମ୍ଭ କରି ସ୍ପାନିସ୍ ଫ୍ଲୁ, ପ୍ଲେଗ୍, ଇବୋଲା,ହଂକଂ ଫ୍ଲୁ ସାରା ବିଶ୍ବକୁ ଦୋହଲାଇ ଦେଇଛି । କେବଳ ବସନ୍ତକୁ ଛାଡ଼ିଦେଲେ ଅନ୍ୟ କୌଣସି ଭୂତାଣୁ ବାହିତ ରୋଗର ପ୍ରତିଷେଧକ ଟିକାବର୍ତ୍ତମାନ ପର୍ଯ୍ୟନ୍ତ ବାହାରିପାରି ନାହିଁ । ବସନ୍ତ ଏଥି ପାଇଁ ବ୍ୟତିକ୍ରମ ଯେ, ଏହି ଭୂତାଣୁ ମଣିଷ ଶରୀରକୁ କୌଣସି ହୋଷ୍ଟ ବା ମାଧ୍ୟମ ଦେଇ ଆସି ନଥିଲା । କିନ୍ତୁ ଅନ୍ୟ ସବୁ ଭୂତାଣୁ ହୋଷ୍ଟ ଦେଇ ମଣିଷ ଶରୀରକୁ ଆସିଛି । ଠିକ୍ ସେହିଭଳି କୋରୋନା ଭୂତାଣୁ । ଚୀନରୁ ସୃଷ୍ଟି ଏହି ଭୂତାଣୁ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ି ଦେହରୁ ମଣିଷ ଶରୀରକୁ ଆସିଥିବା କୁହାଯାଉଛି ।
ତେଣୁ ଏ କ୍ଷେତ୍ରରେ ଟିକା ବାହାର କରିବାରେ ଚିକିତ୍ସା ବିଜ୍ଞାନ କେତେ ସଫଳ ହେବ, ତାହା କେବଳ ସମୟ ହିଁ କହିବ । ତଥାପି କୋରୋନା ପ୍ରତିଷେଧକ ଟିକା ବାହାର କରିବାକୁ ସାରା ବିଶ୍ବ ଲାଗିପଡ଼ିଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରଚେଷ୍ଟା ।
ମାନବ ଶରୀରର କୋଷକୁ ନେଇ ଟିକାରେ ରହୁଛି ପ୍ରକାର ଭେଦ । ରୋଗ ପ୍ରତିଷେଧକ ନିମନ୍ତେ ଶରୀରରେ ସ୍ବତନ୍ତ୍ର ଆଣ୍ଟିଜେନ୍ ପ୍ରସ୍ତୁତ ପାଇଁ RNA ଭ୍ୟାକସିନର ଆବଶ୍ୟକତା ରହିଛି । ଟିକା ମାଧ୍ୟମରେ ଶରୀର ମଧ୍ୟକୁ ଛଡ଼ାଯିବ ପୁଷ୍ଟିସାର, ସ୍ନେହସାର ଏବଂ ଶ୍ବେତଶାର ଅଣୁବିଶିଷ୍ଟ mRNA ବା ମଲିକ୍ୟୁଲ୍ RNA । ଯାହା ଶରୀରର ଥିବା କୋଷରେ ସ୍ବତନ୍ତ୍ର ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟିରେ ସହାୟକ ହେବ ।
ଡିଏନଏ ଭ୍ୟାକସିନ୍ । RNA ଭଳି DNA ମଧ୍ୟ ଶରୀର ପାଇଁ ଆବଶ୍ୟକ ଏକ ବଡ଼ ଅଣୁ । ଶରୀର ମଧ୍ୟରେ ଥିବା ଜୀବାଣୁ କୋଷିକାର ସ୍ବତନ୍ତ୍ର ଟିସ୍ୟୁକୁ ଯାଇ ଏହା ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବ । ଭାଇରାଲ୍ ଭେକ୍ଟର ଟିକା । ଏହି ଟିକା ମାନବ ଶରୀରରେ ଜୀବନ୍ତ ଭୂତାଣୁ ମାଧ୍ୟମରେ DNA ଛାଡ଼ିବ । ଯାହାକି ଜିନ୍ ଟ୍ରାନ୍ସଫର୍ ଭଳି ଶରୀର ମଧ୍ୟରେ ଥିବା କିଛି ସ୍ବତନ୍ତ୍ର କୋଷର ମୋଡିଫାଏ କରାଇବ । ପ୍ରୋଟିନ୍ ସବ୍ ୟୁନିଟ୍ । ଭାଇରସର ପ୍ରୋଟିନ୍ କମ୍ପୋନେଣ୍ଟ ବା ପୁଷ୍ଟିସାର ଅଂଶରୁ ଏହି ଟିକା ପ୍ରସ୍ତୁତ । ଯାହାକୁ ସବୁ ବର୍ଗର ଲୋକେ ନେଇପାରିବେ । ଯେଉଁମାନଙ୍କର ଦୀର୍ଘଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିଥିବ ଏବଂ ରୋଗ ପ୍ରତିରୋଧଶକ୍ତି କମ୍ ଥିବ, ସେମାନଙ୍କ କ୍ଷେତ୍ରରେ ଏହା କାମ କରିବ । କାରଣ ଏହି ଟିକା କାମ ନକେଲ ବି ଶରୀର ମଧ୍ୟରେ ଥିବା ରୋଗ ପ୍ରତିରୋଧକ ବ୍ୟବସ୍ଥାର କୌଣସି କ୍ଷତି ଘଟାଇବ ନାହିଁ । ଇନଆକ୍ଟିଭେଟେଡ୍ ଭାଇରସ୍ ବା ନିଷ୍କ୍ରିୟ ଭୂତାଣୁ । ଏହି ଟିକାରେ ରୋଗ ସୃଷ୍ଟିକାରୀ ଭୂତାଣୁ, ଯାହାକି ନିଷ୍କ୍ରିୟ ହୋଇ ଯାଇଥିବ, ତାକୁ ହିଁ ବ୍ୟବହାର କରାଯିବ । ଭାଇରାଲ୍ ଭେକ୍ଟର ବା ଲାଇଭ୍ ବ୍ୟାକସିନ୍ ଭଳି ଏହା ସଫଳତା ଦେଇ ନପାରେ । କିନ୍ତୁ ପରବର୍ତ୍ତୀ ସମୟରେ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବାରେ ଏହା ସହାୟକ ହେବ । ଭାଇରସ୍ ଲାଇକ୍ ପାର୍ଟିକିଲ୍ । ଏହି ଟିକାରେ ଏମିତି ଏକ ଅଣୁ ରହୁଛି, ଯାହା ଶରୀର ମଧ୍ୟରେ ଭୂତାଣୁର ନକଲ କରିବ, କିନ୍ତୁ ସଂକ୍ରାମକ ନୁହେଁ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁୟାୟୀ, ବିଶ୍ବରେ ବର୍ତ୍ତମାନ ଦେଢ଼ ଶହ ଉପରେ ଟିକା ପ୍ରସ୍ତୁତି ଚାଲିଛି । ସେଥି ମଧ୍ୟରୁ କିଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଅନେକାଂଶରେ ସଫଳ ହୋଇଥିବା ବେଳେ ଖୁବ୍ ଶୀଘ୍ର ମାର୍କେଟକୁ ଆସିବା ସମ୍ଭାବନା ଦେଖାଦେଇଛି । ସେପଟେ ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନର ସୂଚନା ଅନୁୟାୟୀ, ୧୧ଟି ବିଭିନ୍ନ ପ୍ରକାରର ଟିକାର ପରୀକ୍ଷଣ ମାନବ ଶରୀରରେ ପରୀକ୍ଷଣ ଆରମ୍ଭ ହୋଇଛି ।
ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଥିବା ବେଳେ ୭୦ ସମୀକ୍ଷାରେ ପ୍ରତିଶତ ପ୍ରଭାବ ଦେଖାଇଛି । କାନସିନୋ ବାୟୋଲଜିକ୍ସର ଟିକାର ସମୀକ୍ଷାସୀମିତ ଥିବା ବେଳେ ଫଳାଫଳ ଉଚ୍ଚ ରହିଛି । ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ମଧ୍ୟମ ଫଳ ଦେଇଛି । ଇନୋଭିଓ ସେପିର ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ । ଜନସନ୍ ଆଣ୍ଡ ଜନସନ୍ ମଧ୍ୟମ ପ୍ରଭାବ ଦେଖାଇଛି । ମଡେର୍ଣ୍ଣା ନିଏଡ୍ ତୃତୀୟ ପର୍ଯ୍ୟାୟରେ ୯୪.୫ ପ୍ରତିଶତ ପ୍ରଭାବ ଦେଖାଇଛି । ନୋଭାଭାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରେଜଲ୍ଟ ଉଚ୍ଚା ରହିଛି । ପିଫାଇଜର୍ ବାୟୋନଟେକ୍ ୯୫ ପ୍ରତିଶତ ପ୍ରଭାବ ଦେଖାଇଛି । ବେଜିଂର ସାଇନୋ ଫାର୍ମା ପ୍ରସ୍ତୁତ ଟିକା ୭୦ ପ୍ରତିଶତ ପ୍ରଭାବ ଦେଖାଇଛି । ଭୁଟାନର ସିନୋଭାକ୍ ଇନଷ୍ଟିଟୁଟୋ ତୃତୀୟ ପର୍ଯ୍ୟାୟରେ ସବୁଠାରୁ କମ୍ ପ୍ରଭାବ ଦେଖାଇଛି । ତେବେ ଏସବୁ ମଧ୍ୟରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକା ଅଧିକ ବ୍ୟବହାର ଉପଯୋଗୀ ବୋଲି ଲାଗୁଛି । କାରଣ ଅନ୍ୟସବୁ ଟିକା ଷ୍ଟୋରେଜ ପାଇଁ ମାଇନସ୍ ୭୦ରୁ ମାଇନସ୍ ୯୪ ଡିଗ୍ରୀ ସେଲସିଅସ୍ ତାପମାତ୍ରା ଆବଶ୍ୟକ କରୁଥିବା ବେଳେ ଆଷ୍ଟ୍ରୋଜେନେକା-ଅକ୍ସଫୋର୍ଡକୁ ଦରକାର ୨ରୁ ୮ ଡିଗ୍ରୀ ସେଲସିଅସ୍ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନଙ୍କ କହିବା ଅନୁୟାୟୀ, ପ୍ରଥମ ପର୍ଯ୍ୟାୟରେ ୩୦ରୁ ୫୦ ଲୋକଙ୍କ ମଧ୍ୟରେ ହେବ ପରୀକ୍ଷଣ । ଯଦି ତାହା କୌଣସି ଅନାବଶ୍ୟକ ପାର୍ଶ୍ବ ପ୍ରତିକ୍ରିୟା ନଦେଖାଇଲା, ତେବେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ । ଏହି ପର୍ଯ୍ୟାୟରେ ଟିକା, କେମିତି ମାନବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ତ୍ବରିତ କରାଉଛି, ତାହା ଦେଖାଯିବ । ତୃତୀୟ ପର୍ଯ୍ୟାୟରେ ହଜାର ହଜାର ଲୋକଙ୍କୁ ଦିଆଯିବ । ଯେଉଁଠି ଦେଖାଯିବ, ଏହା ରୋଗ ଦାଉରୁ ମଣିଷକୁ କେତେ ସୁରକ୍ଷା ଦେଉଛି ।
ଅଧିକାଂଶ ଭ୍ୟାକସିନ୍, ସଫଳତାର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ, ଟିକା ପାଇବାକୁ ଦେଶ-ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଆମେରିକା ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକା ୩ ଶହ ନିୟୂତ ଅର୍ଡର ଦେଇଥିବା ବେଳେ ଜନସନ୍ ଆଣ୍ଡ ଜନସନ୍, ସାନୋଫି ଜିଏସକେ, ନୋଭାଭାକ୍ସ, ମଡେର୍ଣ୍ଣା, ପିଫାଇଜର୍ ବାୟୋ ଏନ୍ ଟେକ୍ ଟିକା ଶହେ ନିୟୂତ ଲେଖାଏଁ ଅର୍ଡର ଦେଇଛି । ଭାରତ କେବଳ RDIF ଟିକା ଶହେ ନିୟୂତ ଅର୍ଡର ଦେଇଛି ।