ଦଇତାପତି ସେବାୟତଙ୍କର ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସମସ୍ତ ନିଯୋଗର କର୍ମକର୍ତ୍ତା ମାନେ ଚଳଚଞ୍ଚଳ ହୋଇ ପଡିଛନ୍ତି । ବର୍ତ୍ତମାନ ମହାମାରୀ କରୋନାର ପ୍ରକୋପ ଚାଲିଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ମଧ୍ୟ କିଛିକାଂଶରେ ବିଭ୍ରାଟ ପରିଲକ୍ଷିତ ହେଉଛି । ମହାମାରୀ କରୋନା ପାଇଁ ଚଳିତ ବର୍ଷ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫୦ ଜଣ ଦଇତାପତି ସେବାୟତ ରହିବେ।

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସେବାରେ ୧୫୦ ଜଣ ଦଇତାପତି ସେବାୟତ ନିୟୋଜିତ ହେବେ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ଜଣ ସେବକ ରହିବେ, ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଦଇତାପତି ରହିବେ । ବର୍ତମାନ ସମୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ ଜରୁରୀ । ଏହାଛଡା ସ୍ନାନ ଯାତ୍ରାରେ ଗରାବଡୁ ସେବାୟତଙ୍କ ମୁଖ୍ୟ ଭୂମିକା ରହିଛି । ସେଥିପାଇଁ ସେମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି ପୂର୍ବରୁ ସୂଚନା ଦିଆସରିଛି । ଆଉ ଏବେ ଦଇତାପତି ସେବାୟତଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ । ଏଥିପାଇଁ ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ସ୍ୱାବ ସଂଗ୍ରହ କରାଯିବ । ପ୍ରାୟ ୧୫୦ ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଏହାଛଡା ମେ ୨୯ ଓ ୩୦ ତାରିଖରେ ୧୨୦ ଜଣ ଗରାବଡୁ ନିଯୋଗ ସଦସ୍ୟଙ୍କର ବି କରୋନା ଟେଷ୍ଟ ହେବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *