ଭୁବନେଶ୍ବର ବଡବସ୍ତିରେ ସଂକ୍ରମଣ ଭୟ : ସଂକ୍ରମିତଙ୍କ ମାଆ ବିକୁଥିଲେ ହାଣ୍ଡିଆ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଥିବା ବଡ ବସ୍ତିମାନଙ୍କରେ କିପରି ସଂକ୍ରମଣ ନବ୍ୟାପେ ସେଥିପାଇଁ ଆଗରୁ ସରକାର ସମସ୍ତଙ୍କୁ ସଚେତନ କରିଛନ୍ତି । କିନ୍ତୁ ବିଏମ୍‌ସିର ୱାର୍ଡ ଅଫିସର, ଜୋନାଲ ଡେପୁଟି କମିଶନରଙ୍କଠାରୁ ନେଇ କମିଶନରଙ୍କ ଯାଏ । ଉପରୁ ତଳ ଯାଏ ସମସ୍ତେ ଶୋଇ ରହିଥିଲେ । ଭୁବନେଶ୍ୱର କରୋନା ମୁକ୍ତ ହୋଇଗଲା ଭାବି ବେପରୁଆ ହେଲେ । କିନ୍ତୁ ସ୍ଥିତି ଏବେ ସଙ୍ଗୀନ ଆଡ଼କୁ ମୁହାଁଇଲାଣି । ସାଲିଆ ସାହିରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଘାରିଲାଣି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୪୪ଜଣଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ବିଏମ୍‌ସି ଟ୍ୱିଟ୍‌ କରି ତଥ୍ୟ ରଖିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସାଲିଆ ସାହିରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କ ମା’ ହାଣ୍ଡିଆ ବିକ୍ରି କରୁଥିଲେ । ତାଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସି ଥାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ବିଏମ୍‌ସି ଅଧିକାରୀମାନେ ଏହାକୁ ଅତି ହାଲୁକା ଭାବେ ନେଇ କାମ କରୁଛନ୍ତି । କରୋନା ମୁକାବିଲା ଏବେ ବେପରୁଆ ଢଙ୍ଗରେ ଚାଲିଛି । ନା କୌଣସି ଉଚ୍ଚ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି, ନା କିଛି ଠୋସ୍‌ ଆକ୍ସନପ୍ଲାନ୍‌ ହେଉଛି । ସାଲିଆସାହିରେ କରୋନା ପଜିଟିଭ୍‌ ବାହାରିବା ପରେ ବିଏମ୍‌ସିର ବସ୍ତି ଚିନ୍ତା ମନେ ପଡିଛି । ସମସ୍ତ ବସ୍ତିରେ ଆକ୍ଟିଭ୍‌ ସର୍ଭେଲାନ୍ସ ଆରମ୍ଭ ହେବ । ୧୪ଦିନିଆ ସର୍ଭେଲାନ୍ସ ଚାଲିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ସାଲିଆ ସାହିରେ ତିନି ରାଉଣ୍ଡ ସର୍ଭେଲାନ୍ସ ଚାଲିବ ବୋଲି ‌ବିଏମ୍‌ସି କହିଛି ।

Leave a Reply

Your email address will not be published.