ବିଏମ୍ସିର ଦୁଇ ଯନ୍ତ୍ରୀ ଓ ଡ୍ରାଇଭର କୋଭିଡ୍ ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ଇଞ୍ଜିନିୟର ବୋଲି ଜଣାପଡ଼ିଛି। ସେହିପରି ଜଣେ ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ବିଏମ୍ସିର ୨ଜଣ ଷ୍ଟାଫ୍ ଓ ଜଣେ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମ୍ସି ଇଞ୍ଜିନିୟରିଂ ବିଭାଗ ସିଲ୍ କରି ଦିଆଯାଇଛି। ଏଥିସହ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ସବୁଠୁ ଚିନ୍ତାର କଥା ହେଉଛି, ଏହି ଦୁଇ ଯନ୍ତ୍ରୀ ସମ୍ବଲପୁରରୁ ଫେରି ବିଏମ୍ସି ଅଫିସ୍ ଆସିଥିଲେ। ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଛନ୍ତି । କିଛି କର୍ମଚାରୀ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି । ଏହାକୁ ନେଇ ଅଫିସର ଓ କର୍ମଚାରୀ ମହଲରେ ଭୟ ଘାରିଛି । ସମ୍ପୂର୍ଣ୍ଣ ବିଏମ୍ସି ଅଫିସ୍କୁ ସିଲ୍ କରିବାକୁ କର୍ମଚାରୀ ଦାବି କରିଛନ୍ତି ।
ସେପଟେ ଆଜି ଦିନକରେ ସହରରୁ ୪୫ ପଜିଟିଭ୍ ବାହାରିଛନ୍ତି । କ୍ୱାରେଣ୍ଟାଇନ୍ରେ ଥିବା ୩୭ଜଣ ଓ ୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରର ପ୍ରାୟ ସବୁ ଅଞ୍ଚଳକୁ କରୋନା ଭୂତାଣୁ ମାଡ଼ିଛି। ଅନେକ ନୂଆ ଅଞ୍ଚଳରେ କରୋନା ପାଦ ଥାପିଛି। ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୧୪ ଛୁଇଁଛି।
ସ୍ଥାନୀୟ ସଂକ୍ରମଣରୁ ବରମୁଣ୍ଡା ଶକ୍ତି ଗେଷ୍ଟହାଉସ୍ ପାଖରୁ ଜଣେ ୪୮ବର୍ଷୀୟ ବୟସ୍କ ପଜିଟିଭ୍ ବାହାରିଛନ୍ତି। ରବି ଟକିଜ୍ ପାଖ କେଦାରଗୌରୀ ଅଞ୍ଚଳରୁ ଜଣେ ୫୬ବର୍ଷୀୟ ବୟସ୍କ, ସାଲିଆ ସାହି ଶାନ୍ତି ମନ୍ଦିର ପାଖରୁ ୨୭ବର୍ଷୀୟ ଯୁବତୀ ଓ ଖଣ୍ଡଗିରିରୁ ୨୯ବର୍ଷୀୟ ଯୁବତୀ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଡୁମୁଡୁମା ସୁବାସନଗର ବସ୍ତିରୁ ୩୬ବର୍ଷୀୟ ମହିଳା, ପୁରୁଣା ଭୁବନେଶ୍ୱର ଜମ୍ବେଶ୍ୱରପାଟଣାରୁ ୪୫ବର୍ଷୀୟ ବୟସ୍କ, ୟୁନିଟ୍-୪ ଏମଏଲଏ କଲୋନୀରୁ ୭୨ ବର୍ଷୀୟ ବୟସ୍କ ଓ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରୁ ୫୫ବର୍ଷୀୟ ବୟସ୍କ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।
କ୍ୱାରେଣ୍ଟାଇନ୍ରେ ଥିବା ମୋଟ ୩୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଞ୍ଚେଶ୍ୱରରୁ ୯ଜଣ ଶ୍ରମିକ ପଜିଟିଭ୍ ବାହାରିଛନ୍ତି। ସେମାନେ କ୍ୱାରେଣ୍ଟାଇନ୍ରେ ଥିଲେ ବୋଲି ବିଏମ୍ସି ଦର୍ଶାଇଛି। ନୂଆଗାଁରୁ ପୁଣି ୬ ଆକ୍ରାନ୍ତ ବାହାରିଛନ୍ତି । ଏକ ଘରୋଇ ହସ୍ପିଟାଲରରୁ ୩ଜଣ, ଚନ୍ଦ୍ରଶେଖରପୁର ମୈତ୍ରୀବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗର ଅଞ୍ଚଳରୁ ଜଣେ, ମଞ୍ଚେଶ୍ୱର କଳିଙ୍ଗ ବେକେରୀରୁ ୩ଜଣ, ସହିଦନଗରର ଏକ ରେଷ୍ଟୁରାଣ୍ଟରୁ ଜଣେ ଓ ଭରତପୁରରୁ ଜଣେ ପଜିଟିଭ୍ ବାହାରିଛନ୍ତି।